କରୋନା ସଂକ୍ରମଣ ରୋକିବ ଆମେରିକା ଚୁଇଂଗମ୍

1 min read

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଆସିବ ଏକ ଅଦ୍ଭୁତ ଚୁଇଂଗମ୍ ଯାହାକି କୋଭିଡ ଭୂତାଣୁକୁ ମୁକାବିଲା କରିବାରେ ସକ୍ଷମ ହେବ । ଆମେରିକା ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ଚୁଇଂଗମକୁ ପ୍ରସ୍ତୁତ କରିଛନ୍ତି । ଏହି ଚୁଇଂଗମ ଯୋଗୁ କୋଭିଡ ଭୂତାଣୁର ସଂକ୍ରମଣକୁ ସହଜରେ ଏଡାଯାଇପାରିବ। ଟିକା ନେଇଥିବା କିମ୍ବା ଟିକା ନେଇନଥିବା ଲୋକମାନଙ୍କ ଲାଗି ଏହି ଚୁଇଂଗମ୍ କରୋନା କବଚ ସାବ୍ୟସ୍ତ ହେବ । ଏହି ଚୁଇଂଗମ ଜରିଆରେ ଲାଳରେ କୋଭିଡନାଶକ ସୃଷ୍ଟିକାରୀ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ ।

ଏହି ଚୁଇଂଗମକୁ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ପ୍ରସ୍ତୁତ କରିବାରେ ନିୟୋଜିତ ଅଛନ୍ତି ବୋଲି କହିଛନ୍ତି ଗବେଷକ ହେନେରି ଡାନିଏଲ । ସଂକ୍ରମିତ ଲୋକଙ୍କ ଛିଙ୍କ, କଫ ଜରିଆରେ ତଥା ସେମାନେ କଥାବାର୍ତ୍ତା କରିବା ସମୟରେ ଭୂତାଣୁ ସଂକ୍ରମିତ ହୋଇଥାଏ । ମାତ୍ର ଏହି ଚୁଇଂଗମ ଖାଇବା ଦ୍ୱାରା ଲାଳରେ ଉକ୍ତ ଭୂତାଣୁ ନିଷ୍କ୍ରିୟ ହୋଇଯାଇଥାଏ । ଗବେଷକମାନେ ଏକ ସ୍ୱତନ୍ତ୍ର ପାଟେଣ୍ଟଭୁକ୍ତ ବୃକ୍ଷର ଆଞ୍ଜିଓ ଟେନସିନ କନଭର୍ଟିଂ ଏଞ୍ଜାଇମ-୨ ବା ଏସ୍-୨ ବାହାର କରିଛନ୍ତି ଯାହାକୁ ଚୁଇଂଗମରେ ବ୍ୟବହାର କରାଯାଇଥାଏ । ଏହା ସହ ମାନବ କୋଷରେ ଏସ-୨ର ରିସେପ୍ଟର କୋଭିଡ ଭୂତାଣୁର ପ୍ରୋଟିନକୁ ନିଷ୍କ୍ରିୟ କରିଥାଏ । ଫଳରେ ଏହି ଭୂତାଣୁ ସଂକ୍ରମିତ ହେବାର କ୍ଷମତା ହରାଇଥାଏ । ପ୍ରାଥମିକ ଭାବେ ପାଟି ଜରିଆରେ ଭୂତାଣୁର ସଂକ୍ରମଣ ବ୍ୟାପିଥିବା ବେଳେ ଏହି ଚୁଇଂଗମ ଏହାର ପ୍ରତିରୋଧ କରିବ ।

ଏହି ଚୁଇଂଗମ ଡାଲଚିନି ସ୍ୱାଦ ବିଶିଷ୍ଟ ହେବ ଏବଂ ଯେକୌଣସି ବର୍ଗର ଲୋକେ ଏହାକୁ ବ୍ୟବହାର କରିପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ଏସ-୨ ଗମ୍ କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କ ଲାଳରେ ଥିବା ଭାଇରାଲ ଆରଏନଏ ସ୍ତରକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ କରିଦେଇଥିବା ପ୍ରମାଣ ଗବେଷକମାନେ ପାଇଛନ୍ତି । ଏହି ଗମର କ୍ଲିନିକାଲ ଟ୍ରାଏଲ ବି ଶେଷ ହୋଇଛି ଏବଂ ଏହା ନିରାପଦ ଓ ପ୍ରଭାବଶାଳୀ ବୋଲି ବିବେଚିତ ହୋଇଛି । ଯ଼େଉଁମାନେ ସଂକ୍ରମିତ ହେବାର ସୂଚନା ମିଳିପାରୁନାହିଁ ସେମାନେ ବି ଏହି ଚୁଇଂଗମ୍ ଖାଇପାରିବେ ।

Leave a Reply