ବଢ଼ୁଛି ଓମିକ୍ରନ ଭୟ: ଲକ୍‌ଡାଉନ୍ ଲାଗୁ ନେଇ ସୁପାରିସ୍ କଲେ ବୈଜ୍ଞାନିକଙ୍କ ପ୍ୟାନେଲ୍

ଇଂଲଣ୍ଡ: ବ୍ରିଟେନରେ ଖୁବ୍ ଶୀଘ୍ର ଜାରି ହୋଇପାରେ ଲକଡାଉନ । ତୁରନ୍ତ ଲକଡାଉନ କରିବା ଲାଗି ସୁପାରିସ କରିଛି ବୈଜ୍ଞାନିକଙ୍କୁ ନେଇ ଗଠିତ ପ୍ୟାନେଲ । ଏହାସହ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମଧ୍ୟ ଲକଡାଉନ ନେଇ ସହମତି ହୋଇଛି । ଦେଶରେ ଓମିକ୍ରନ ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ଆଉ ୧୨ ହଜାର ୧୩୩ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦେଶର ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୩୭ ହଜାର ୧୦୦ରେ । ଦେଶରେ କଡ଼ା ଲକଡାଉନ ଜାରି କରାନଗଲେ ଆଗକୁ ସ୍ଥିତି ସଂଗୀନ ହେବ ବୋଲି ଚେତାବନୀ ଦିଆଯାଇଛି । ସେପଟେ ଆମେରିକାରେ ବି ଚିନ୍ତା ବଢାଇଲା ଓମିକ୍ରନ । କୋଭିଡରେ ଯେତେ ଲୋକ ସଂକ୍ରମିତ ହେଉଛନ୍ତି ତାହାର ୭୩ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି । ତେଣେ ଡେଲଟା ତୁଳନାରେ ଅଧିକ ସଂକ୍ରମଣ ସୃଷ୍ଟି କରୁଛି ଓମିକ୍ରନ ।

ସମ୍ପୂର୍ଣ୍ଣ ଡୋଜ ନେଇଥିବା ବ୍ୟକ୍ତି ବା କୋଭିଡରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତି ଓମିକ୍ରନ ସଂକ୍ରମିତ ହେଉଛନ୍ତି । ଆଗକୁ ଅଧିକ ଦେଶରେ ଏହା ପ୍ରଭାବ ବିସ୍ତାର ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡରସ ଅଧନମ ଘେବ୍ରେସିୟସ । ବିଶ୍ୱର ଯେଉଁ ସବୁ ଦେଶରେ ଓମିକ୍ରନ ସଂକ୍ରମିତ ଠାବ ହେଉଛନ୍ତି ସେମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଡୋଜ ନେଇଥିବା ଓ ଆରୋଗ୍ୟ ହୋଇଥିବା ବ୍ୟକ୍ତି ରହିଛନ୍ତି ବୋଲି ସେ କହିଛନ୍ତି । ଡେନମାର୍କ ଷ୍ଟେଟ ସେରମ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ଟାଏକା ଗ୍ରୋବ କହିଛନ୍ତି ଜାନୁଆରୀରୁ ବିଶ୍ୱରେ ଦୈନିକ ୫୦୦ରୁ ଅଧିକ ଲୋକ ଓମିକ୍ରନ ଆକ୍ରାନ୍ତ ହେବେ ।

ତେଣେ ଓମିକ୍ରନର ମୁକାବିଲା ଲାଗି ଅନେକ ଦେଶ ସେମାନଙ୍କର ବୁଷ୍ଟର ଡୋଜର ସମୟସୀମା ହ୍ରାସ କରିଛନ୍ତି । ସାଉଥକୋରିଆ, ବ୍ରିଟେନ ଓ ଥାଇଲାଣ୍ଡ ସେମାନଙ୍କର ବୁଷ୍ଟର ଡୋଜ ଦେବା ସମୟକୁ ୬ ମାସରୁ ୩ ମାସକୁ ହ୍ରାସ କରିଛନ୍ତି । ଫ୍ରାନ୍ସ, ସିଙ୍ଗାପୋର, ତାଇଓ୍ୱାନ, ଇଟାଲି ଓ ଅଷ୍ଟ୍ରେଲିଆ ଏହାର ସମୟସୀମାକୁ ୫ ମାସକୁ ହ୍ରାସ କରିଛନ୍ତି ।

ତେବେ ଆମେରିକା, ସାଉଥ ଆଫ୍ରିକା ଓ ଜର୍ମାନୀ ବୁଷ୍ଟର ଡୋଜ ବ୍ୟବଧାନକୁ ସେହି ୬ ମାସ ହିଁ ରଖିଛନ୍ତି । ଆମେରିକାର ମହାମାରୀ ବିଶେଷଜ୍ଞ ଡାକ୍ତର ଆନ୍ଥୋନି ଫଉସି କହିଛନ୍ତି ଶୀତ ଋତୁରେ ଓମିକ୍ରନ ଅଧିକ ବେଗରେ ସଂକ୍ରମଣ କରିବ ଏବଂ କଡା କଟକଣା ସହ ହସ୍ପିଟାଲରେ ବ୍ୟାପକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ।

Leave a Reply