ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ସମାରୋହ

ଭୁବନେଶ୍ୱର: ବିଜ୍ଞାନ ଓ କାରଗରୀ ବିଭାଗ ଉଦଭାବନ, ଷ୍ଟାର୍ଟ ଅଫ୍, ବାୟୋ ଟେକ୍ନୋଲୋଜି ଇକୋ ସିଷ୍ଟମର ବିକାଶ କ୍ଷେତ୍ରରେ ବିଜ୍ଞାନ ଓ କାରିଗରୀ ବିଭାଗ ସଫଳ ପଦକ୍ଷେପ ନେଇଛି ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି । ଆଜି ସନ୍ଧ୍ୟାରେ ଜୟଦେବ ଭବନଠାରେ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପରୁସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଶୋକ ପଣ୍ଡା କହିଥିଲେ  ଯେ ଗବେଷଣା ଓ ବିକାଶ, ଶିକ୍ଷକମାନଙ୍କ ତାଲିମ  ଏବଂ ଛାତ୍ରଛାତ୍ରୀମାନଙ୍କ ବିଜ୍ଞାନ ଶି୪ା ନିମନ୍ତେ ଅଧଇକ କାର୍ଯ୍ୟକ୍ରମ ହାତକୁ ନେବାକୁ ଓଡ଼ିଶା ବିଜ୍ଞାନ ଏକାଡେମୀ କାର୍ଯ୍ୟ କରିବ । ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏକାଡେମୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ଏକାଡେମୀ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ପତ୍ରିକାର ଅଡିଓ ସଂସ୍କରଣ ଜାରି କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ନାଇଜରର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡାଙ୍କୁ ବୈଜ୍ଞାନିକ ଉତ୍କର୍ଷ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର ସ୍ୱରୂପ ୨ ଲକ୍ଷ ଟଙ୍କା ସହ ପ୍ରଶସ୍ତିପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ରେଭେନ୍ସା ବିଶ୍ଵବିଦ୍ୟାଳୟର ଜୀବ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ଲୁନା ସାମନ୍ତ, ଭୁବନେଶ୍ବରସ୍ଥିତ ଆଇଏମଏମଟିର ଭୌତିକ ବିଜ୍ଞାନ ମୁଖ୍ୟ ଡ. ଦଣ୍ଡ ଶ୍ରୀନିବାସ ରାଓ, ରାଉରକେଲାସ୍ଥିତ ଏନଆଇଟିର ପ୍ରଫେସର ଅନୁପ କୁମାର ପଣ୍ଡାଙ୍କ ସମେତ ଲକ୍ଷ୍ମୌସ୍ଥିତ ଜାତୀୟ ଉଦ୍ଭିଦ ବିଜ୍ଞାନ ଗବେଷଣା ସଂସ୍ଥାର ବୈଜ୍ଞାନିକ ଡ.ସରୋଜକାନ୍ତ ବାରିକଙ୍କୁ “ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର” ପ୍ରଦାନ କରାଯାଇଥିଲା । ଉପରୋକ୍ତ ଚାରିଜଣଙ୍କୁ ଏକ ଲକ୍ଷ ଟଙ୍କା ମାନରାଶି ସାଙ୍ଗକୁ ପ୍ରଶସ୍ତିପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥୁଲା ।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ଜୀବବିଜ୍ଞାନ ବିଭାଗର ପୋଷ୍ଟ ଡକ୍ଟରାଲ ଫେଲୋ ଡ. ଶଶାଙ୍କ ଶେଖର ସ୍ଵାଇଁ, ନାଇଜରର ଭୌତିକ ବିଜ୍ଞାନ ବିଭାଗର ଡ. ନିବେଦିତା ଦାଶ, ଏନଆଇଟି ରାଉରକେଲାର ସହକାରୀ ପ୍ରଫେସର ଡ. ଜ୍ଞାନରଞ୍ଜନ ସେନାପତି ଓ ନାଇଜରର ଆସିଷ୍ଟାଣ୍ଟ ପ୍ରଫେସର ଡ. ସତ୍ୟପ୍ରସାଦ ପି. ସେନାନାୟକଙ୍କୁ କୃତୀ ଯୁବବୈଜ୍ଞାନିକ ଭାବରେ ପୁରସ୍କୃତ କରାଯାଇଥିବାବେଳେ ପ୍ରଫେସର ସଂଗୀତା ରଥ ଓ ହିମାଂଶୁ ଶେଖର ଫତେସିଂହଙ୍କୁ “ ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର” ପାଇଥିଲେ । ଯୁବବୈଜ୍ଞାନିକ ପୁରସ୍କାର ଓ “ ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର” ବାବଦରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କାର ମାନରାଶି ସାଙ୍ଗକୁ ଉପଢ଼ୌକନ ଓ ପ୍ରଶସ୍ଥିପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଫେସର ଭାସ୍କର ଚନ୍ଦ୍ର ଦାଶ, ପ୍ରଫେସର ସତ୍ୟାନନ୍ଦ ସ୍ଵାଇଁ ଓ ପ୍ରଫେସର ଅଜୟ କୁମାର ପାତ୍ରଙ୍କୁ ବରିଷ୍ଠ ବୈଜ୍ଞାନିକ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା ।