ବାଜିବ ସ୍କୁଲ ଘଣ୍ଟା, ୧୮ ମାସ ପରେ ସ୍କୁଲ ଯିବେ ଅଷ୍ଟମ ଛାତ୍ରଛାତ୍ରୀ

ଭୁବନେଶ୍ୱର:  ଆଜିଠୁ ଶ୍ରେଣୀ ଗୃହରେ ବସି ପାଠ ପଢିବେ ଅଷ୍ଟମ ଛାତ୍ରଛାତ୍ରୀ । ଦୀର୍ଘ ୧୮ମାସ ପରେ ବିଦ୍ୟାଳୟ ଖୋଲୁଥିବାରୁ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ । କରୋନା କଟକଣାରେ ସକାଳ ୯ଟାରୁ ୧୨ଟା ୩୦ ଯାଏ ହେବ କ୍ଲାସ୍ । ପୂର୍ବରୁ ସ୍କୁଲ ପରିସରକୁ ସଫେଇ କରାଯିବା ସହିତ କ୍ଲାସ ରୁମକୁ ସାନିଟାଇଜ୍ କରାଯାଇଛି । ପିଲାମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବେ । ସ୍କୁଲରେ ପିଲାଙ୍କୁ ଦିଆଯିବନି ମଧ୍ୟାହ୍ନ ଭୋଜନ । ଶିକ୍ଷକ କି ଛାତ୍ରଛାତ୍ରୀଙ୍କ ସାମାନ୍ୟ ଲକ୍ଷଣ ଦେଖାଦେଲେ ବିଦ୍ୟାଳୟ ପ୍ରବେଶ ଅନୁମତି ନାହିଁ ।

ତେବେ ଆଜି ଓ ଆସନ୍ତାକାଲି ପିଲାଙ୍କୁ ପାଠ ପଢାଯିବନାହିଁ । ପିଲାଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା ଭଳି ବିଭିନ୍ନ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍ କରାଯିବ । ସବୁ ପିଲାଙ୍କ ଶିକ୍ଷଣ ସ୍ତରରେ ଆଲୋଚନା ହେବ । ୨୭ରେ ଓଡିଆ, ୨୮ରେ ଗଣିତ ଓ ୨୯ରେ ଇଂରାଜୀ ବିଷୟରେ ଘଣ୍ଟାକର ପରୀକ୍ଷା ହେବ । ଏଥିପାଇଁ ପ୍ରଶ୍ନପତ୍ର ଓସେପା ଓ ଏସସିଇଆରଟି ଯୋଗାଇବ । ଏହି ଆକଳନର ଫଳାଫଳ ପରେ ବିଶ୍ଳେଷଣ ହେବ ।

ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିକାତ୍ମକ ଶିକ୍ଷା ପ୍ରଧାନଶିକ୍ଷକଙ୍କ ଦ୍ବାରା କରାଯିବ । ପଢା ସହଜ କରିବାକୁ ସପ୍ତମ ଶ୍ରେଣୀର ସହଜ ପାଠ ପଢାଯିବ । ସେପଟେ ସ୍କୁଲ୍ ଛାଡିଥିବା ଛାତ୍ରଛାତ୍ରୀଙ୍କ ସର୍ଭେ ସରିଛି । ସେମାନଙ୍କୁ ପୁଣି ବିଦ୍ୟାଳୟ ଫେରାଇ ଆଣିବାକୁ ଯୋଗାଯୋଗ କରାଯିବ । ଶିକ୍ଷକ ପ୍ରତିଦିନ ଲେସନ ନୋଟ୍ ପ୍ରସ୍ତୁତ କରିବା ସହିତ ପଢା ସମ୍ପର୍କିତ ୩୦ ମିନିଟର ବୈଠକ କରିବେ ପ୍ରଧାନଶିକ୍ଷକ । ସିଆରସିସି, ଏବିଇଓ, ଏଡିଇଓ, ଡିଇଓ ପ୍ରତିଦିନ ସ୍କୁଲରେ ତଦାରଖ ପାଇଁ ଯିବେ ।

Leave a Reply