ଆସନ୍ତା ୨୧ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ । ୭ ଜିଲ୍ଲାରେ ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ହେବ ନା ଛୁଟି ଘୋଷଣା କରାଯିବ ସେନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି । ଏହି ୭ ଜିଲ୍ଲା ହେଉଛି ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୋନପୁର ଓ ବଲାଙ୍ଗୀର ।

ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ଏବେ ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିଛି । ଏହାକୁ ନଜରରେ ରଖି ଗଣଶିକ୍ଷା ବିଭାଗ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଏପ୍ରିଲ ୨୧ ତାରିଖରୁ ସ୍କୁଲରେ ଖରାଛୁଟି ହୋଇଥିଲା । ଗତ ୧୯ ତାରିଖରେ ସମସ୍ତ ସ୍କୁଲ ଖୋଲିବାର ଥିଲା । ମାତ୍ର ପ୍ରବଳ ଖରା ହେଉଥିବାରୁ ୨୧ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର ।