ମହାନଗରୀ ମୁମ୍ବାଇରେ ବର୍ଷା ବିତ୍ପାତ; ହଜାର ହଜାର ଲୋକ ଜଳବନ୍ଦୀ

ମୁମ୍ବାଇ: ମହାନଗରୀ ମୁମ୍ବାଇରେ ବର୍ଷା ବିତ୍ପାତ। ହଜାର ହଜାର ଲୋକ ଜଳବନ୍ଦୀ ହୋଇଛନ୍ତି। ଅନେକ ସ୍ଥାନରେ ଜଳ ଜମିବା ଯୋଗୁ ଯୋଗାଯୋଗ ବ୍ଯବସ୍ଥା ଗୁରୁତର ପ୍ରଭାବିତ ହୋଇଛି । ସ୍ଥିତିକୁ ନଜରରେ ରଖି ମୁମ୍ବାଇରେ ଜାରି କରାଯାଇଛି ରେଡ ଆଲର୍ଟ । ଆଜି ବୃହନମୁମ୍ବାଇ ପୌର ନିଗମରେ ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି । ବିଶେଷ କାମ ନଥିଲେ ଘରୁ ନବାହାରିବା ମୁମ୍ବାଇବାସୀଙ୍କୁ ପରାମର୍ଶ ଦେଇଛି ବିଏମସି ।

ବୁଧବାରଠାରୁ ଲାଗି ରହିଥିବା ବର୍ଷା ଛାଡିବାର ନାଁ ଧରୁନାହିଁ । ଟ୍ରେନ, ବସ୍, ଯାନବାହନ ଚଳାଚଳ ଗୁରୁତର ପ୍ରଭାବିତ ହୋଇଥିବାରୁ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି ବୋଲି ବିଏମସି କହିଛି। ସବୁଠାରୁ ବେଶୀ ସମସ୍ଯା ସୃଷ୍ଟି ହୋଇଛି ଘଟକୋପାର ରେଳବାଇ ଷ୍ଟେସନ ଅଞ୍ଚଳରେ । ସେଠାରେ ଶହ ଶହ ଲୋକ ଅସୁବିଧାର  ସମ୍ମୁଖୀନ ହୋଇଛନ୍ତି । ବୁଧବାର ଭୋରରୁ ରାତି ସାଢେ ୮ଟା ମଧ୍ଯରେ ସହରରେ ହାରାହାରି ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା । ବୀଣାନଗରରେ ୧୦୪ ମିଲିମିଟର ବର୍ଷା ହୋଇଥିଲା । ଏହି ଅଞ୍ଚଳରେ ସହସ୍ରାଧିକ ଲୋକ ପାଣିଘେରରେ ରହିଛନ୍ତି । ମୁଲୁନ୍ଦ, ଭାନଦୁପ, ପାଓ୍ବାଲ, ଚେମ୍ବୁର, ଗୋବାନ୍ଦି ଆଦି ଅଞ୍ଚଳରେ ବି ତାଣ୍ଡବ ରଚିଛି ବର୍ଷା ।