କମ୍ ପିଲା ଥିଲେ ସ୍କୁଲରେ ପଡ଼ିବ ତାଲା

1 min read

ଭୁବନେଶ୍ବର: କମ୍ ପିଲାଙ୍କୁ ନେଇ ବିଗତ କିଛି ବର୍ଷରୁ ଭୁବନେଶ୍ବରରେ ଚାଲୁଥିବା ସ୍କୁଲର ଚଞ୍ଚକତା ଧରା ପଡ଼ିବା ପରେ ଆକ୍ସନ ମୁଡ଼ରେ ରାଜ୍ୟ ସରକାର । ଏଣିକି କମ୍ ପିଲାରେ ସ୍କୁଲ ଚାଲିଲେ କାର୍ଯ୍ୟାନୁଷ୍ଠାନ ନେବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏପରିକି ସ୍କୁଲ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବ । ବିଗତ ବର୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ହେବ ଆହୁରି ଅଧିକ ତ୍ବରିତ । ସରକାରୀ ମାନ୍ୟତା ଅପେକ୍ଷାରେ ଥିବା ସ୍କୁଲଗୁଡ଼ିକ ରହିଛନ୍ତି ସ୍କାନରରେ ।

ରାଜଧାନୀରେ ସରକାରୀ ସ୍କୁଲର ଚଞ୍ଚକତା ଧରାପଡ଼ିବା ପରେ ସ୍କାନରେ ଶତାଧିକ ସ୍କୁଲ । ପୂର୍ବରୁ ବନ୍ଦ ହୋଇଛି, ଆହୁରି ବନ୍ଦ ହେବ ସ୍କୁଲ । ରାଜ୍ୟର ଅନେକ ସ୍କୁଲରେ ଆଡମିଶନ ହୋଇଛନ୍ତି କମ୍ ପିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନ ଜଣାଇ କ୍ଲାସ୍ ଚାଲିଛି । ନିୟମ ଅନୁସାରେ ୫୦ରୁ ଅଧିକ ପିଲାଙ୍କୁ ନେଇ ସ୍କୁଲ ଚାଲିବା କଥା । ହେଲେ ଏହି ନିୟମକୁ ଖିଲାଫ୍ କରାଯାଉଥିବା ଦେଖିବାକୁ ମିଳିଛି । ଏହିଭଳି ୩୦ରୁ ଅଧିକ ସ୍କୁଲ ବିଗତ ଦିନରେ ବନ୍ଦ କରାଯାଇଛି । ଆଗକୁ ସରକାରୀ ମାନ୍ୟତା ପାଇବାକୁ ଅପେକ୍ଷା କରିଥିବା ୧୯୪ ସ୍କୁଲର ଛାତ୍ରଛାତ୍ରୀ ଉପସ୍ଥାନକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ । ନିୟମ ଖିଲାଫ୍ କରୁଥିଲେ ସରକାରୀ ମାନ୍ୟତା ମିଳିବା ତ ଦୂରର କଥା ସ୍କୁଲରେ ତାଲା ଝୁଲିବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସ୍କୁଲ କର୍ତ୍ତୃପକ୍ଷଙ୍କ ଏପରି ଚଞ୍ଚକତା ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଚାଲିଛି । ୟୁନିଟି-୨ରେ ଚାଲିଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ନିୟମଠାରୁ କମ୍ ପିଲାଙ୍କ ଉପସ୍ଥାନ ଦେଖିବାକୁ ମିଳିଥିଲା । ଷଷ୍ଠରୁ ଦଶମ ଯାଏଁ ମାତ୍ର ୩୫ ଜଣ ପିଲା ପଢୁଥିଲେ । ୫୩ ବର୍ଷର ଏହି ପୁରାତନ ସ୍କୁଲରେ ନିୟମିତ ଭାବେ ପିଲାଙ୍କ ନାମଲେଖା କମୁଥିଲା । ହେଲେ ଏହାର ପ୍ରତିକାର କରିବା ବଦଳରେ କ୍ଲାସ ଚାଲୁଥିଲା । ଏହି ଖବର ପଦାକୁ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରି ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । କମ୍ ପିଲାଙ୍କୁ ନେଇ କାହିଁକି ସ୍କୁଲ ଚାଲୁଥିଲା, ସେ ସଂପର୍କରେ କିଛି କହିବାକୁ ମନା କରି ଦେଇଥିଲେ ସ୍କୁଲ ଅଧ୍ୟକ୍ଷା । ସ୍କୁଲ ବନ୍ଦ ପରେ କ୍ୟାମ୍ପସ୍ ଯେପରି ଭୂତ କୋଠରୀ ନ ପାଲଟେ, ସେଥିପାଇଁ କୋଠରୀକୁ ବ୍ୟବହାର ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଆବଶ୍ୟକ ପଡ଼ିଲେ, ସ୍କୁଲକୁ ପ୍ରାଥମିକ ନିର୍ଦ୍ଦେଶାଳୟରେ ପରିଣତ କରାଯାଇପାରେ ।