ପାଠପଢ଼ା ପାଇଁ ବାଜିରେ ଜୀବନ: ଅଭିଭାବକଙ୍କ କାନ୍ଧରେ ନଦୀ ପାର ହେଉଛନ୍ତି ଛୋଟ ପିଲା

କେନ୍ଦୁଝର: ପାଠପଢ଼ା ପାଇଁ ବାଜିରେ ଲାଗିଛି ଜୀବନ । ଭରା ନଦୀରେ ପିଲାଙ୍କୁ କାନ୍ଧରେ ଧରି ନଦୀ ପାର୍ କରାଉଛନ୍ତି  ଅଭିଭାବକ । ଭରାନଦୀରେ ପାଠପଢା ପାଇଁ ସଂର୍ଘଷ କରୁଛନ୍ତି ଛୋଟପିଲା । ଅଭିଭାବକଙ୍କ କାନ୍ଧରେ ବସି ବିପଦଜନକ ଭାବେ ଭରା ନଦୀ ପାର୍ ହୋଇ ଯାଉଛନ୍ତି ସ୍କୁଲ୍ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତରେ ।

ତାଳପଦା ଗାଁ ସ୍କୁଲକୁ ୧୫ରୁ ଅଧିକ ପିଲା ମୁଣ୍ଡାସାହିରୁ ୩ କିଲୋମିଟର ବାଟ ପାଦରେ ଚାଲି ପଢିବାକୁ ଆସିଥାନ୍ତି । ମୁଣ୍ଡାସାହିକୁ ଯାଇଥିବା ପାଦଚଲା ରାସ୍ତାରେ ସମାକୋଇ ନଦୀ ପଡ଼ିଥାଏ । ବର୍ଷାଋତୁ ୪ମାସ ନଦୀରେ ପାଣି ଅଧିକ ରହୁଥିବାରୁ ଯିବା ଆସିବାରେ ବହୁ ଅସୁବିଧା ସୃଷ୍ଟି ହେଉଥିବା ବେଳେ ଗୁରୁତର ରୋଗୀ ସହିତ ଗର୍ଭବତୀ ମହିଳା ମଧ୍ୟ ପ୍ରଭାବିତ ହୋଇଥାନ୍ତି ।

ପିଲାଙ୍କର ପାଠପଢା କଥା ନକହିବା ଭଲ । ନଦୀ ବଢିଲେ ପାଠପଢା ଏକପ୍ରକାର ବନ୍ଦ ହୋଇଯାଏ । ଅନ୍ୟ କୌଣସି ସୁବିଧା ନଥିବାରୁ  ନଦୀରେ ପାଣି କମିଗଲେ ଅଭିଭାବକମାନେ ପିଲାଙ୍କୁ କାନ୍ଧରେ ବୋହି ବିପଦଜନକ ଅବସ୍ଥାରେ ନଦୀ ପାର୍ କରାଇଥାନ୍ତି । ସ୍କୁଲରୁ ଫେରିବା ବେଳେ ମଧ୍ୟ ସମାନ ଅବସ୍ଥା । ଏଠାରେ ନଦୀରେ ଏକ ପୋଲ ନିର୍ମାଣ କରିବାକୁ ଦୀର୍ଘ ଦିନର ଲୋକଙ୍କ ଦାବି ପୂରଣ ହୋଇ ପାରୁ ନାହିଁ ।