କରୋନା କାଳରେ ଖୋଲିଲା ସ୍କୁଲ, ଜାରି ହେଲା ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଦେଶରେ ଧୀରେ ଧୀରେ ସବୁକିଛି ଅନଲକ୍ କରାଯାଉଛି । ଆଜିଠାରୁ ଦେଶର ଅନେକ ସ୍ଥାନରେ ସ୍କୁଲ ଖୋଲିଛି। କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ୍ ପାଳନ କରିବା ସହ ଅକ୍ଟୋବର ମାସ ୧୫ ତାରିଖରୁ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଆଜିଠାରୁ ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ସିକ୍କିମରେ ସ୍କୁଲ ଖୋଲିଛି। ଏଥିସହିତ ରାଜ୍ୟ ସରକାର ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ବିଦ୍ୟାଳୟଗୁଡ଼ିକରେ ଏହି ସବୁ ଗାଇଡଲାଇନ୍ ଅନୁସରଣ କରିବା ବାଧ୍ୟତାମୂଳକ ହୋଇଛି । ଆଜିଠାରୁ ପଞ୍ଜାବର କଣ୍ଟେନମେଣ୍ଟ ଜୋନ୍ କୁ ଛାଡି ନବମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ପାଇଁ ସ୍କୁଲ ଖୋଲାଯାଇଛି ।

ଆଜିଠାରୁ ଉତ୍ତରପ୍ରଦେଶରେ ମଧ୍ୟ ସ୍କୁଲ ଖୋଲିଛି । କରୋନା ମହାମାରୀ ଯୋଗୁଁ ୟୁପିରେ ଥିବା ସ୍କୁଲ ୬ ମାସରୁ ଅଧିକ ସମୟ ଧରି ବନ୍ଦ ରହିଥିଲା । ଏବେ ନବମରୁ ରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ ଖୋଲାଯାଇଛି । ମାଆ ବାପାଙ୍କ ଅନୁମତି ନେଇ ପିଲାମାନଙ୍କୁ ସ୍କୁଲ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଘରେ ପିଲାମାନଙ୍କୁ ସ୍କୁଲ ଆସିବାକୁ ଅନୁମତି ନମିଳେ, ତାହେଲ ସେମାନଙ୍କୁ ସ୍କୁଲ ଆସିବାକୁ କେହି ବାଧ୍ୟ କରିପାରିବେ ନାହିଁ । ଏହି ଦୁଇ ରାଜ୍ୟ ବ୍ୟତୀତ ଆଜିଠାରୁ ସିକ୍କିମରେ ସ୍କୁଲ ଖୋଲାଯାଇଛି।

ପ୍ରତିଦିନ ବିଦ୍ୟାଳୟ ଖୋଲିବା ପୂର୍ବରୁ କ୍ଲାସରୂମ, ଷ୍ଟେସନାରୀ, ଲ୍ୟାବ ଏବଂ କ୍ୟାଣ୍ଟିନ ସମେତ ସମଗ୍ର ବିଦ୍ୟାଳୟ ପରିସରକୁ ପରିଷ୍କାର କରିବାକୁ ସ୍କୁଲ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ଦିନରେ ଗୋଟେ ଶ୍ରେଣୀରେ ମାତ୍ର ୫୦ ପ୍ରତିଶତ ପିଲା ବସିବାକୁ ଅନୁମତି ଦିଆଯାଇଛି । ବାକି ପିଲାମାନଙ୍କୁ ଦ୍ୱିତୀୟ ଦିନରେ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରେଣୀରେ ଦୁଇ ଛାତ୍ରଙ୍କ ମଧ୍ୟରେ ୬ ଫୁଟ ଦୂରତା ରହିବା ଆବଶ୍ୟକ । ଏହା ବ୍ୟତୀତ କୌଣସି ଛାତ୍ର ନିଜ ମାଆବାପାଙ୍କ ଲିଖିତ ଅନୁମତି ବିନା ସ୍କୁଲକୁ ଯାଇପାରିବେ ନାହିଁ। ସ୍କୁଲଗୁଡ଼ିକରେ ସାମାଜିକ ଦୂରତା ପାଳନ କରିବା ଜରୁରୀ । ଛାତ୍ରଛାତ୍ରୀମାନେ ୟୁନିଫର୍ମରେ ଫୁଲ ସ୍ଲିଭ୍ ସାର୍ଟ, ଫୁଲ୍ ପ୍ୟାଣ୍ଟ ଏବଂ ଜୋତା ଏବଂ ମୋଜା ପିନ୍ଧିବା ଆବଶ୍ୟକ । ଏହା ବ୍ୟତୀତ ପିଲାମାନେ ଶ୍ରେଣୀରେ ମାସ୍କ ଖୋଲିପାରିବେ ନାହିଁ । ବିଦ୍ୟାଳୟଗୁଡ଼ିକ ପୂର୍ବ ଭଳି ଅନଲାଇନ୍ କ୍ଲାସ୍ ମଧ୍ୟ ଜାରି କରିପାରିବେ । ନିୟମ ପାଳନ କରିବା ବାଧ୍ୟତାମୂଳକ ହୋଇଛି ।

Leave a Reply