ଆଜି ଅଧିକାଂଶ ଜିଲ୍ଲାରେ ସକାଳୁଆ ସ୍କୁଲ, ତିନି ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ବର: ସରିଲା ଖରାଛୁଟି, ରାଜ୍ଯରେ ଖୋଲିଲା ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ଅଧିକାଂଶ ଜିଲ୍ଲାରେ ସକାଳୁଆ ସ୍କୁଲ ହେଉଛି । ସକାଳ ସାଢେ ୬ଟାରୁ ସାଢେ ୧୦ଟା ଯାଏଁ କ୍ଲାସ ଚାଲିଛି । କେନ୍ଦୁଝର, ଦେବଗଡ଼, ଜଗତସିଂହପୁର, ଅନୁଗୁଳ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଯାଜପୁର, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି ଆଦି ଜିଲ୍ଲାରେ ସକାଳୁଆ ସ୍କୁଲ ହେଉଛି ।

ତେବେ କିଛି ଜିଲ୍ଲାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସ୍କୁଲ ୨୦ ତାରିଖ ଯାଏଁ ଛୁଟି ରହିଛି । ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ଆଜି ସ୍କୁଲ ଛୁଟି ରହିଛି । କାଲିଠୁ ଏହି ଜିଲ୍ଲାରେ ସ୍କୁଲ ଖୋଲିବା ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ନୟାଗଡ଼ରେ ଆଜି ଓ କାଲି ସ୍କୁଲ ଛୁଟି ରହିଥିବାବେଳେ ୨୦ରୁ ୨୨ ତାରିଖ ଯାଏଁ ସକାଳୁଆ ସ୍କୁଲ ହେବ ।

ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ସ୍କୁଲ ଖୋଲିବା ସମ୍ପର୍କରେ ଜିଲ୍ଲାସ୍ତରରେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ଦେଖି ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ ସେନେଇ ଜିଲ୍ଲାପାଳ ନିଷ୍ପତ୍ତି ନେଉଛନ୍ତି । ଏହି ନିର୍ଦେଶ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।