ସ୍ମାର୍ଟ କ୍ଳାସରୁମ୍ ଶୁଭାରମ୍ଭ, ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନରେ ହେବ ସହାୟକ

1 min read

ଗଞ୍ଜାମ: ମଧୁ ଆପ୍‌ ପରେ ବର୍ତ୍ତମାନ ସ୍ମାର୍ଟ କ୍ଳାସରୁମ୍‌ । ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଲାଭରେ ସୁବିଧା ଯୋଗାଇଦେବା ପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ । ଶନିବାର ଗଞ୍ଜାମ ଜିଲ୍ଲାରେ ସ୍ମାର୍ଟ କ୍ଳାସରୁମ୍‌ର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଜିଲ୍ଲାର ଛତ୍ରପୁର ବ୍ଳକର କାଳିପଲ୍ଲୀ ପଞ୍ଚାୟତରେ ସ୍ମାର୍ଟ କ୍ଳାସରୁମ୍‌ର ଶୁଭାରମ୍ଭ ହେବା ସହିତ ଛତ୍ରପୁର ବ୍ଳକର ୧୮ଟି ବିଦ୍ୟାଳୟରେ ମଧ୍ୟ ସ୍ମାର୍ଟ କ୍ଳାସରୁମ୍‌ ଆରମ୍ଭ ହୋଇଛି ।

ଆମେରିକା-ଇଣ୍ଡିଆ ଫାଉଣ୍ଡେସନ୍‌, ଶିକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏହି ସ୍ମାର୍ଟ କ୍ଳାସରୁମ୍‌ ଆରମ୍ଭ ହୋଇଛି । କରୋନା ସମୟରେ ମଧୁ ଆପ୍‌ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ବେଶ ସହାୟକ ହେଉଥିଲା । ଘରେ ରହି ଛାତ୍ରଛାତ୍ରୀ ମାନେ ମଧୁ ଆପ୍‌ ମାଧ୍ୟମରେ ସମସ୍ତ ବିଷୟରେ ଜ୍ଞାନ ପାଇପାରୁଥିଲେ । ଠିକ୍‌ ସେହିପରି ସ୍ମାର୍ଟ କ୍ଳାସରୁମ୍‌ ଦ୍ୱାରା ମଧ୍ୟ ଛାତ୍ରଛାତ୍ରୀଙ୍କୁ ସମସ୍ତ ବିଷୟରେ ଜ୍ଞାନ ପ୍ରଦାନ କରାଯାଇପାରିବ ।

ପାଠ୍ୟପୁସ୍ତକ ଠାରୁ ଆରମ୍ଭ କରି ବିଭିନ୍ନ ବିଷୟରେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବ ସ୍ମାର୍ଟ କ୍ଲାସ ରୁମ । ଛାତ୍ରଛାତ୍ରୀ ମାନେ ପୂର୍ବରୁ ଯେଉଁ ବିଷୟରେ ଭଲ ନମ୍ବର ରଖିପାରୁନଥିଲେ, ସେହି ବିଷୟରେ କିଭଳି ଭଲ ନମ୍ବର ରଖିବେ ସେଥିରେ ଏହି ସ୍ମାର୍ଟ କ୍ଳାସରୁମ୍‌ ସାହାଯ୍ୟ କରିପାରିବ । ଅଧ୍ୟୟନର ଅସୁବିଧାକୁ ଦୁର କରି ଶିକ୍ଷାଦାନ ସମ୍ବନ୍ଧରେ ସ୍ମାର୍ଟ କ୍ଲାସ ରୁମ ବିଦ୍ୟାର୍ଥୀଙ୍କ ପାଇଁ ଉପଯୋଗୀ ହୋଇପାରିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

Leave a Reply