ସେପ୍ଟେମ୍ବର ୨୧ରୁ ଖୋଲିବ ସ୍କୁଲ, ଜାରି ହେଲା ଗାଇଡଲାଇନ

ଦୀର୍ଘଦିନ ଧରି କରୋନା ମହାମାରୀ ଭୂତାଣୁ କାରଣରୁ ସାରା ଦେଶରେ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଛାତ୍ରଛାତ୍ରୀଙ୍କ ଉପରେ ଖୁବ ପ୍ରଭାବ ପଡ଼ିଛି । ଏଭଳି ପରିସ୍ଥିତିରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ନେଇ ଆଶଙ୍କା ଥିବାବେଳେ ଗାଇଡଲାଇନ ଜାରି ହୋଇଛି ।


ସେପ୍ଟେମ୍ବର ୨୧ରୁ ସର୍ତ୍ତରେ ଖୋଲିବ ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଥିବା ବେଳେ ପାଠପଢା ନେଇ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ସେହିପରି ବୈଷୟିକ ଶିକ୍ଷା ଓ ଉଚ୍ଚ ଶିକ୍ଷା ପାଇଁ ଲ୍ୟାବ ୱର୍କକୁ ମଧ୍ୟ ଅନୁମତି ମିଳିଛି । ଏସଓପି ଅନୁସାରେ ଶ୍ରେଣୀ କକ୍ଷରେ ବସିବା ପାଇଁ ଛାତ୍ର ମାନଙ୍କ ମଧ୍ୟରେ ୬ ଫୁଟର ଦୂରତା ରହିବ । ଏହା ସହିତ ଚେୟାର ଟେବୁଲ ସଜାଇବାକୁ ନିର୍ଦ୍ଦେଶ ରହିଛି । ଶ୍ରେଣୀ ଗୃହରେ ହେଉଥିବା ଅନ୍ୟ କାର୍ଯ୍ୟକ୍ରମ ପାଇଁ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ପାଠ୍ୟକ୍ରମରେ ଶ୍ରେଣୀରେ ପାଠପଢା ଏବଂ ଅନଲାଇନ୍ ପାଠପଢା ଉଭୟ ସମୟ ସାରଣୀରେ ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଶ୍ରେଣୀ କକ୍ଷରେ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । କେବଳ ସେତିକି ନୁହେଁ ଖାତାବହି, ଲାପଟପ୍ ଓ ଅନ୍ୟ ଶିକ୍ଷା ବ୍ୟବହୃତ ସାମଗ୍ରୀର ଆଦାନପ୍ରଦାନ ଉପରେ କଟକଣା ଲାଗୁ ହୋଇଛି । ତେବେ ସ୍କୁଲକୁ ଛାତ୍ରଛାତ୍ରୀ ଆସିବା ନିଷ୍ପତ୍ତି ଇଚ୍ଛାଧୀନ ରଖାଯାଇଛି । କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କରେ ୫୦ ପ୍ରତିଶତ ଶିକ୍ଷକ ଓ କର୍ମଚାରୀରେ ଅନଲାଇନ ପାଠ୍ୟକ୍ରମ ଚାଲୁ ରଖିୁବାକୁ ଅନୁମତି ମିଳିଛି ।

Leave a Reply