ବଦଳିବ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ଆଇଡି ; ଲାଗିବ ଗେରୁଆ ରଙ୍ଗ

1 min read

ନନ୍ଦିଘୋଷ ବ୍ୟୁରୋ : ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର (ଆଇ-କାର୍ଡ) ରେ ଲାଗିବ ଗେରୁଆ ରଙ୍ଗ। ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ପିଲାଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଏଥିରେ ରହିବ ପିଲାଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍ ନମ୍ବର ଓ ଫୋନ୍ ନମ୍ବର ରହିବ। ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବା ନିତାନ୍ତ ଆବଶ୍ୟକ। ବିଭିନ୍ନ ସମୟରେ ବାହାର ପିଲାମାନେ କ୍ୟାମ୍ପସ ଭିତରକୁ ପ୍ରବେଶ କରୁଥିବାରୁ ଆଇ-କାର୍ଡକୁ ବାଧ୍ୟତାମୂଳକ କରାଯିବ ।

ପିଲାମାନେ ବିଦ୍ୟାଳୟକୁ ଆସିବା ସମୟରେ ତାହାକୁ ବେକରେ ପକାଇ ଆସିବେ। କେବଳ ଆଇ-କାର୍ଡ ରଙ୍ଗ ବଦଳି ନାହିଁ, ବରଂ ସ୍ଲୋଗାନ୍ ମଧ୍ୟ ବଦଳାଇ ଦିଆଯାଇଛି। ବିଜେଡି ସରକାର ସମୟରେ ପିଲାଙ୍କ ୟୁନିଫର୍ମ ଓ ଟୋପିରେ ‘ଆମେ ଗଢ଼ିବୁ-ନୂଆ ଓଡ଼ିଶା’ ସ୍ଲୋଗାନ ଲେଖାଯାଇଥିଲା। ମାତ୍ର ଏଥର ସ୍ଲୋଗାନ୍ ପରିବର୍ତ୍ତନ କରାଯାଇ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା’ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତ ନେଇଛନ୍ତି । ହାଉସ୍ ୟୁନିଫର୍ମ ରଙ୍ଗରେ କୌଣସି ପରିବର୍ତନ କରାଯାଇ ନାହିଁ। ଛାତ୍ରଛାତ୍ରୀଙ୍କ ଟ୍ରାକ୍ ପ୍ୟାଣ୍ଟ ନୀଳରଙ୍ଗ ରହିଥିବା ବେଳେ ସାର୍ଟର ରଙ୍ଗ ସବୁଜ, ହଳଦୀ, ନାଲି, ନୀଳ ରଙ୍ଗ ରହିଛି। ଟୋପିର ରଙ୍ଗ ଧଳା ରହିବ ଏବଂ ସେଥିରେ ସ୍ଲୋଗାନ ସହ ଲୋଗୋ ଲାଗିବ ।

୨୦୨୫-୨୬ ଶିକ୍ଷାବର୍ଷରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନ ବିଦ୍ୟାଳୟ ଛାତ୍ରଛାତ୍ରୀ (ପ୍ରଥମରୁ ୮ମ ଶ୍ରେଣୀ)ଙ୍କ ପାଇଁ ଜଣ ପିଛା ୫୦୦ ଟଙ୍କା ଖର୍ଚ୍ଚ କରାଯିବ। ୨୦୦ ଟଙ୍କାରେ ଗୋଟିଏ ହଳ ଜୋତା ଓ ଦୁଇ ହଳ ମୋଜା, ୧୨୫ ଟଙ୍କାରେ ଗୋଟିଏ ଟି-ସାର୍ଟ, ୧୨୫ ଟଙ୍କାରେ ଗୋଟିଏ ଟ୍ରାକ୍ ପ୍ୟାଣ୍ଟ, ୩୦ ଟଙ୍କାରେ ଗୋଟିଏ ଟୋପି(ବ୍ରାଣ୍ଡିଂ ସହ) ଓ ୨୦ ଟଙ୍କାରେ ଗୋଟିଏ ପରିଚୟପତ୍ର ଦିଆଯିବ। ସମଗ୍ର ଶିକ୍ଷା/ପିଏମ୍‌ଶ୍ରୀ/ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରୁ ଏହି ଅର୍ଥ ଖର୍ଚ୍ଚ ହେବା ପିଲାଙ୍କ ଜୋତାର ରଙ୍ଗ କଳା ଓ ମୋଜା ରଙ୍ଗ ଧଳା ରହିବ। ହାଉସ୍ ସିଷ୍ଟମରେ ୧୦୦ ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟରେ ଦୁଇଟି ହାଉସ୍ ସହ ଦୁଇଟି ରଙ୍ଗର ଟି-ସାର୍ଟ ଏବଂ ୧୦୦ରୁ ଅଧିକ ପିଲା ଥିଲେ ୪ଟି ହାଉସ୍ ଓ ୪ଟି ରଙ୍ଗର ଟି-ସାର୍ଟ ଚୟନ କରାଯିବା ଯୁଦ୍ଧକାଳୀନ ଭିତ୍ତରେ ସାମଗ୍ରୀ ପ୍ରଦାନ କରିବାକୁ ଓସେପା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।