ଦନ୍ତା ଆତଙ୍କରେ ସମସ୍ତ ସ୍କୁଲ ହେଲା ବନ୍ଦ, ନେଲାଣି ୨ ଜୀବନ

ଯାଜପୁର: ହାତୀ ଭୟରେ ସ୍କୁଲ ବନ୍ଦ । ଯାଜପୁର ଜିଲ୍ଲା କୋରେଇ, ଦାନଗଦି ଓ ସୁକିନ୍ଦା ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଆଜି ଦିନକ ପାଇଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଗତକାଲି ଶଙ୍ଖଚିଲା ଅଞ୍ଚଳରେ ଦନ୍ତାହାତୀ ଆତଙ୍କ ଦେଖାଦେଇଥିଲା। ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଥିଲେ ।

ବନ ବିଭାଗ ପକ୍ଷରୁ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରାଯିବାରୁ ହାତୀଟି ଉଗ୍ର ହୋଇଥିଲା। ଏଣେ ତେଣେ ଦୌଡ଼ିବା ସହ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲା । ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋରେଇ, ଦାନଗଦି, ସୁକିନ୍ଦାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ୱାଡ଼ି କେନ୍ଦ୍ର ବନ୍ଦ ରହିଛି ।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଜଙ୍ଗଲରୁ ହାତୀ ଖାଦ୍ୟ ଅନ୍ୱେଷଣରେ ଦାନଗଦି ବ୍ଲକ ଶାଳିଜଙ୍ଗା ଅଞ୍ଚଳକୁ ପଶି ଆସିଥିଲା । ସେଠାରେ ହାତୀ ଆକ୍ରମଣରେ ଜଣେ ପ୍ରାଣ ହରାଇଥିଲେ । ପରେ ବନ ବିଭାଗ ପକ୍ଷରୁ ହାତୀକୁ ଘଉଡ଼ାଯିବାରୁ ସେ କୋରେଇ ବ୍ଲକ ପାଟରଙ୍ଗା ଓ ରଗଡ଼ି ଜଙ୍ଗଲରେ ପଶିଯାଇଥିଲା । ସେଠାରେ ବ୍ୟାପକ କ୍ଷୟକ୍ଷତି କରିବା ସହ ରସୁଲପୁର ବ୍ଲକ ଟିକରପଡ଼ା ଅଞ୍ଚଳକୁ ପଳାଇଥିଲା ।

ପରେ କୋରେଇ ବ୍ଲକ ଶଙ୍ଖଚିଲାରେ ୨ଜଣଙ୍କୁ ଦଳି ମାରିବା ସହ ୨ଜଣଙ୍କୁ ଆହତ କରିଛି । ପରେ ହାତୀଟି ଦାନଗଦି ବ୍ଲକ ଉଲଳ ଜଙ୍ଗଲକୁ ଯାଇଥିବା ଜଣାପଡିଛି । ହାତୀଟି ପୁଣି ଜନବସଟି ଆଡ଼କୁ ଫେରିବା ଆଶଙ୍କାରେ ଆଜି ସ୍କୁଲ ଛୁଟି କରାଯାଇଛି । ଏବେ ନରହନ୍ତା ହାତୀଟି ଦାନଗଦି ବ୍ଲକ୍‌ ନଡ଼ିଆଭଙ୍ଗା ଅଞ୍ଚଳରେ ରହିଥିବା ଜଣାପଡ଼ିଛି।

Leave a Reply