ସ୍କୁଲ ପିଲାଙ୍କୁ ଦିଆଯିବ ଅଲମ୍ପିକ୍ସ ପ୍ରଶିକ୍ଷଣ, ଅଲମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୟ କେବଳ ଏକ ଲକ୍ଷ୍ୟ ନୁହେଁ, ଏହା ଅଭ୍ୟାସରେ ପରିଣତ ହେବା ଉଚିତ୍ । ଆଉ ଏହି ଜିତିବାର ନିଶା ହିଁ ଜଣେ ଖେଳାଳିକୁ ଉତ୍କର୍ଷ କରି ଗଢ଼ିତୋଳେ । କ୍ରୀଡାବିତଙ୍କୁ ଉଦବୋଧନ ଦେଲାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପରାମର୍ଶ ଦେଇ ଆସିଛନ୍ତି । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ବଳରେ ଭାରତୀୟ ପୁରୁଷ ହକି ଟିମ୍ ୪ ଦଶନ୍ଧି ପରେ ଅଲମ୍ପିକ୍ସରେ ପଦକ ହାସଲ କରିବାକୁ ସମର୍ଥ ହୋଇଛି । ସେହିପରି ମହିଳା ହକି ଟିମ୍‌ ମଧ୍ୟ ଅଲମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଛି ।

ରାଜ୍ୟରେ କ୍ରୀଡା ଭିତ୍ତିଭୂମିକୁ ସୁଦୃଢ କରାଯିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଆଉ ଏବେ ଚୀନ ଓ ଜାପାନ ପରି ଅଲମ୍ପିକ୍ସ ବିଜେତା ସୃଷ୍ଟି କରିବା ପାଇଁ ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କୁ ଅଲମ୍ପିକ୍ସ ଉପରେ ଶିକ୍ଷା ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୨୦୨୪ ପ୍ୟାରିସ ଅଲମ୍ପିକ୍ସକୁ ଦୃଷ୍ଟିରେ ରଖି ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସାରା ଦେଶରେ ଓଡ଼ିଶା ସରକାର ଏପରି ପଦକ୍ଷେପ ନେବାରେ ପ୍ରଥମ ହୋଇଛନ୍ତି । ତୃଣମୂଳ ସ୍ତରରୁ ସ୍କୁଲ ପିଲାଙ୍କୁ ଅଲମ୍ପିକ୍ସ ବାବଦରେ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ଯୋଜନା ଆରମ୍ଭ କରିଛନ୍ତି ।

ପାଇଲଟ ପ୍ରକଳ୍ପ ଭାବେ ଓଡ଼ିଶା ଅଲମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ୯୦ଟି ସ୍କୁଲ ଚିହ୍ନଟ ହୋଇଛି । ଭୁବନେଶ୍ବର ମହାନଗର ନିଗମର ୬୩ ଓ ରାଉରକେଲା ମହାନଗର ନିଗମରେ ୨୭ଟି ସ୍କୁଲରେ ଅଲମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ଦୁଇ ସ୍ମାର୍ଟ ସିଟିର ସ୍କୁଲଗୁଡ଼ିକୁ ମନୋନୀତ କରାଯାଇଛି । ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ଶୁଭାରମ୍ଭ କରିବେ ।