୩୫୦୦ କୋଟି ଟଙ୍କା ଖର୍ଚ୍ଚରେ SCBର ହେବ ନବକଳେବର, ଲକ୍ଷ୍ୟ ଏମ୍ସ ପ୍ଲସ୍

1 min read
SCB Medical Renovation by Invest Of 3500 Cores

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା ପାଇଁ ଓଡ଼ିଶାବାସୀଙ୍କର ବିଶ୍ୱାସର କେନ୍ଦ୍ର କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ନବକଳେବର ହେବ । ଏଥିପାଇଁ ୩ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏସସିବିକୁ ବିଶ୍ୱ ସ୍ତରୀୟ ଚିକିତ୍ସା ଅନୁଷ୍ଠାନ ଭାବରେ ବିକଶିତ କରିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ 5T ଅଧିନରେ କାର୍ଯ୍ୟକାରୀ କରାଯିବ । ସାଧାରଣ ଲୋକଙ୍କୁ ମିଳିବ ଉନ୍ନତ ଚିକିତ୍ସା ସେବା । ଲକ୍ଷ୍ୟ- ଏମ୍ସ ପ୍ଲସ୍ । ଏହି ଯୋଜନାରେ ଭିତ୍ତିଭୂମିର ବିକାଶ ସହିତ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଅଣାଯିବ, ଯାହାକି 5T କାର୍ଯ୍ୟକ୍ରମର ମୁଖ୍ୟ ଆଧାର । ୨୦୨୧ରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହାକ ଏକ ନୂଆ ଯୁଗର ସଂକେତ ଦେଉଛି ।

SCB Medical Renovation by Invest Of 3500 Cores

ମେଡିକାଲ କଲେଜ ଓ ହସ୍ପିଟାଲ୍ ପାଇଁ ସରକାରୀ ସ୍ତରରେ ଏହା ଦେଶର ସର୍ବବୃହତ ପ୍ରକଳ୍ପ । ୫ ହଜାର ଶଯ୍ୟା ସହିତ ଡାକ୍ତର, ରୋଗୀ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏଠାରେ ଉପଲବ୍ଧ ହେବ । ମୁଖ୍ୟମନ୍ତ୍ରୀଙ୍କ 5T କାର୍ଯ୍ୟକ୍ରମ ଅଧିନରେ ଚିକିତ୍ସା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ ରୋଗୀମାନଙ୍କୁ ସୁଲଭ ତଥା ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାରେ ଏକ ଉଦାହରଣ ହୋଇବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ- ଜନସାଧାରଣ ସୁଲଭ ତଥା ଉଚ୍ଚ ଗୁଣାତ୍ମକ ମାନର ସ୍ୱାସ୍ଥ୍ୟସେବା ପାଆନ୍ତୁ । ଲକ୍ଷ୍ୟ ଓଡ଼ିଶାର ଲୋକ ଏହିଠାରେ ହିଁ ଉନ୍ନତ ଚିକିତ୍ସା ପାଇପାରିବେ । ବହୁ ଓଡ଼ିଆ ଡାକ୍ତର ଦେଶ ବିଦେଶରେ ଚିକିତ୍ସା ସେବା ଯୋଗାଇ ସୁନାମ ଅର୍ଜନ କରିଛନ୍ତି । ସେମାନେ ଯେପରି ସେମାନଙ୍କ ଜନ୍ମ ମାଟିରେ ସେମାନଙ୍କ ଦକ୍ଷତାକୁ ଓଡ଼ିଶାବାସୀଙ୍କ ସେବାରେ ଲଗାଇ ପାରିବେ, ସେଥିପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରାଯିବ । ସମସ୍ତଙ୍କ ସହଯୋଗରେ ଏହି ଅନୁଷ୍ଠାନ ଦିନେ ଦେଶର ଶ୍ରେଷ୍ଠ ୩ଟି ଚିକିତ୍ସା ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

SCB Medical Renovation by Invest Of 3500 Cores

୧୭୫ ଏକର ଜମିରେ ବିକଶିତ ହେବାକୁ ଥିବା ଏକ ମର୍ଯ୍ୟାଦାଜନକ ପ୍ରକଳ୍ପରେ ପଥମ ପର୍ଯ୍ୟାୟରେ ଶଯ୍ୟା ସଂଖ୍ୟା ୩୫୦୦ କରାଯିବ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଏହାକୁ ୫୦୦୦କୁ ବୃଦ୍ଧି କରାଯିବ । ୩ ବର୍ଷରେ ସମ୍ପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପରେ ଡାକ୍ତର, ରୋଗୀ, ରୋଗୀଙ୍କ ସହାୟକ, ସ୍ୱାସ୍ଥ୍ୟ କର୍ମଚାରୀ ସମସ୍ତଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ଅତ୍ୟାଧୁନିକ ଚିକିତ୍ସା ଉପକରଣ ସହିତ ପରିବହନ ବ୍ୟବସ୍ଥା, ଆଧୁନିକ ରେଷ୍ଟୁରାଣ୍ଟ, ବାଣିଜ୍ୟ କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ ସୁବିଧା ଉପଲବ୍ଧ ହେବ ।

ଏଥିରେ ୧୨୮୦ଟି ସରକାରୀ ବାସଗୃହ ନିର୍ମିତ ହେବା ସହିତ ଛାତ୍ରାବାସରେ ଅଧିକ ୨୨୦୦ ଜଣ ଛାତ୍ରଛାତ୍ରୀ ରହିବାର ବ୍ୟବସ୍ଥା କରାଯିବ । ଏହି ହସ୍ପିଟାଲର ଉନ୍ନତି ସହ କ୍ରୀଡ଼ା ଓ ମନୋରଞ୍ଜନ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରାଯିବ । ଏସସିବି ମେଡିକାଲ କଲେଜ ହସ୍ପିଟାଲର ସୁପରିଚାଳନ ପାଇଁ ଏକ ସ୍ୱାଧୀନ ପରିଚାଳନା ମଣ୍ଡଳୀ ରହିବ । ଯାହାକି, ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହିତ ଚିକିତ୍ସା, ଶିକ୍ଷା ଓ ଗବେଷଣାର ମାନ ବୃଦ୍ଧି ପାଇଁ କାମ କରିବ । ଏହି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply