SCB ମେଡିକାଲରେ ଶିଶୁଙ୍କ ପାଇଁ ସଞ୍ଜୀବନୀ ସାଜିଛି ଆଇଏମ୍ ସ୍କ୍ରିନିଂ

କଟକ : ଏସ୍‌ସିବି ମେଡିକାଲରେ ଶିଶୁଙ୍କ ପାଇଁ ସଞ୍ଜୀବନୀ ସାଜିଛି ଆଇଏମ୍ ସ୍କ୍ରିନିଂ । ଏହାଦ୍ୱାରା ଶିଶୁଙ୍କ ମୃତ୍ୟୁହାର କମୁଛି । ରାଜ୍ୟ ସରକାରଙ୍କ ଉଦ୍ୟମରୁ ସୁସ୍ଥ ହେଉଛନ୍ତି ଆଗାମୀ ଭବିଷ୍ୟତ। ଇନବର୍ଣ୍ଣ ଏରର ଅଫ ମେଟାବଲିଜିମ ତଥା ଆଇଏମ ସ୍କ୍ରିନିଂ। ନବଜାତକଙ୍କ ଶରୀରରେ ଥିବା ସ୍ୱାସ୍ଥ୍ୟଗତ ସମସ୍ୟା ପରୀକ୍ଷା ମାଧ୍ୟମରେ ଚିହ୍ନଟ କରି  ଉପଚାର ଦେଉଛି। ଗତବର୍ଷ ଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏସସିବି ମେଡିକାଲରେ ଆରମ୍ଭ ହୋଇଛି ଏହି ବ୍ୟବସ୍ଥା। ଗତ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଏଠାରେ ୭୧୮ ଜଣ ନବଜାତକଙ୍କ ସ୍କ୍ରିନିଂ କରାଯାଇଛି । ତନ୍ମଧ୍ୟରୁ ୨୦ଜଣ ରୁଗ୍‌ଣ ଚିହ୍ନଟ ହୋଇଥିବାବେଳେ ସେମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ନିରାୟମ ଜରିଆରେ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଥିବା କହିଛନ୍ତି ଆରବିଏସ୍‌କେ ପରିଚାଳକ ।

ଏସ୍‌ସିବି ବାୟୋକେମେଷ୍ଟ୍ରି ବିଭାଗରେ ଇନବର୍ଣ୍ଣ ଏରର୍ ଅଫ ମେଟାବଲିଜିମର ସେଣ୍ଟରରେ ହୋଇଛି ଏହି ବ୍ୟବସ୍ଥା । ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ସେଣ୍ଟର କାର୍ଯ୍ୟ କରୁଛି । ଚଳିତବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଭାରତରେ ନବଜାତକ ମୃତ୍ୟୁ ହାର ରହିଛି ୨୬.୬ ପ୍ରତିଶତ। ଏକ ହଜାର ଶିଶୁଙ୍କୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

୨୦୨୨ରେ ଏହା ୩୦.୪ ପ୍ରତିଶତ ଥିଲା । ୨୦୨୧ ରେ ୨୮.୭ ଏବଂ ୨୦୨୦ରେ ୨୯.୭ ପ୍ରତିଶତ ରହିଥିଲା । ତେବେ ନବଜାତକଙ୍କ ମୃତ୍ୟୁହାର କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍ ରହିଛି ।  ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଜନ୍ମଲାଭ କରୁଥିବା ଶିଶୁମାନଙ୍କର ୪୮ ଘଣ୍ଟା ପରେ ରକ୍ତ ନମୂନା ସଂଗ୍ରହ ହେଉଛି । ସେମାନଙ୍କ ପାଦରୁ ନମୂନା ନିଆଯାଉଛି । କେନ୍ଦ୍ରରେ ୪ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ହେଉଛି । ପୂର୍ବରୁ ନବଜାତକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରୁନଥିଲା। ଏବେ ଆଇଏମ ସ୍କ୍ରିନିଂ ଶିଶୁମାନଙ୍କ ପାଇଁ ସଞ୍ଜୀବନୀ ସାଜିଛି ।