SCBରେ ସଫଳ ହେଲା କିଡନୀ ପ୍ରତିରୋପଣ

କଟକ: ପୁଣି ଚିକିତ୍ସା ବିଜ୍ଞାନ ଜଗତରେ ଇତିହାସ ରଚିଲା ଏସସିବି ମେଡିକାଲ । ଏସସିବି ମେଡିକାଲରେ ମୃତ୍ୟୁ ବରଣ କରିଥିବା ଜଣେ ରୋଗୀଙ୍କ 2ଟି କିଡ଼ନୀ ଆତ୍ମୀୟ ଦାନ କରିବା ପରେ ଏହି କିଡ଼ନୀ ଦୁଇ ଜଣ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି । ଏହା ପୂର୍ବରୁ ଏସସିବି ୟୁରୋଲୋଜି ବିଭାଗରେ 4ଟି କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ହୋଇଛି । ତେବେ ସମସ୍ତ ଘଟଣାରେ ଘରୋଇ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ କିଡନୀ ଏସସିବି ଅଣାଯାଇ ଏହି ବିରଳ ସର୍ଜରୀ କରାଯାଇଛି ।

ପ୍ରଥମ ଥର ପାଇଁ ଏସସିବିରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ କିଡନୀ ଦାନ ଯୋଗୁ ଏଠାରେ ଏହି ସର୍ଜରୀ ସଫଳ ହୋଇଛି । ସୂଚନା ମୁତାବକ, ସୋମବାର ଏସସିବିରେ ଭର୍ତ୍ତି ହୋଇଥିବା ଜଗତପୁର ଅଞ୍ଚଳର ତନୁଜା କରଙ୍କ ବ୍ରେନ ଡେଡ ହେବାରୁ ଗତକାଲି ତାଙ୍କର ପରଲୋକ ହୋଇଥିଲା । ଏସସିବି ଅଧିକ୍ଷକ ନ୍ୟୁରୋ ସର୍ଜନ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ନେଫରୋଲୋଜି ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟ, ୟୁରୋଲୋଜି ମୁଖ୍ୟ ଡାକ୍ତର ସମୀର ସ୍ବାଇଁ, ଡାକ୍ତର ସବ୍ୟସାଚୀ ପଣ୍ଡା, ଡାକ୍ତର ସଞ୍ଜୟ ଚୌଧୁରୀ ପ୍ରମୁଖ କିଡନୀ ଦାନ ପାଇଁ ଅନୁରୋଧ କରିଥିଲେ ।

ପରିବାର ଲୋକଙ୍କ ସମ୍ମତି ପରେ ତନୁଜାଙ୍କ ଶରୀରରୁ ଦୁଇଟି କିଡନୀ କଢ଼ାଯାଇ ଅନ୍ୟ ଦୁଇ କିଡନୀ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ଏହି ଦୁଇ ଜଣ ବ୍ୟକ୍ତି ହେଲେ ଝାରସୁଗୁଡାର ଆଲୋକ ବୋଡାକ ଓ ସୂର୍ଯ୍ୟରଞ୍ଜନ ସାହୁ । ଆଲୋକଙ୍କର ଏହା ପ୍ରଥମ ଓ ସୂର୍ଯ୍ୟଙ୍କର ଏହା ଦ୍ୱିତୀୟ କିଡନୀ ପ୍ରତିରୋପଣ ବୋଲି ଜଣାପଡ଼ିଛି । ଅସ୍ତ୍ରୋପଚାର ସଫଳତାର ସହିତ ଶେଷ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ବିରଳ ଅସ୍ତ୍ରୋପଚାରରେ ଡାକ୍ତର ଅରୁଣାଙ୍କ ସହିତ ୧୭ ଜଣ ମେଡିକାଲ ଟିମ ସହଯୋଗ କରିଥିଲେ ।