କଟକ ଏସସିବି ମେଡିକାଲକୁ ଘାରିଛି ଡାକ୍ତର ଚିନ୍ତା
ନନ୍ଦିଘୋଷ ବ୍ୟୁରୋ: କଟକ ଏସସିବି ମେଡିକାଲକୁ ଘାରିଛି ଡାକ୍ତର ଚିନ୍ତା । ମେଡିକାଲର ବିଭିନ୍ନ ବିଭାଗରେ ଖାଲି ପଡିଛି ମାଳ ମାଳ ଡାକ୍ତରୀ ପଦବୀ । ସମସ୍ୟାକୁ ମାସ ମାସ ବିତିଯାଇଥିଲେ ସୁଦ୍ଧା ନା ସ୍ୱାସ୍ଥ୍ୟ ବିଭାଗ ନା ଏସସିବି ପ୍ରଶାସନ, ସମସ୍ୟାର ସମାଧାନ କରିପାରୁ ନାହାନ୍ତି । ଫଳରେ ଦୂରଦୂରାନ୍ତ ଆସୁଥିବା ରୋଗୀ ଆବଶ୍ୟକ ସେବା ନପାଇ ଘରୋଇ ହସପିଟାଲ ମୁହାଁ ହେଉଛନ୍ତି । ସେପଟେ ଏହାକୁ କତୃପକ୍ଷ ସ୍ୱୀକାର କରିଥିଲେ ସୁଦ୍ଧା ରୋଗୀ ସମସ୍ୟାକୁ ଏଡାଇ ଯାଇଛନ୍ତି ।
ସମସ୍ଯାରେ ଏସସିବି ମେଡିକାଲ । ଡାକ୍ତର ଅଭାବ ଯୋଗୁଁ ସମସ୍ଯା ଭୋଗୁଛନ୍ତି ରୋଗୀ । ସେବା ନପାଇ ଘରୋଇ ଡାକ୍ତଖାନା ମୁହାଁ ରୋଗୀ । ପୂର୍ବଭାରତର ରିଫେରାଲ ହସ୍ପିଟାଲ ଭାବରେ ପରିଚିତ କଟକ ଏସସିବି ମେଡାକାଲ । ହେଲେ ଡାକ୍ତର ଅଭାବ ଏବେ ହସପିଟାଲ ପାଇଁ ସାଜିଛି ମୁଖ୍ଯ ସମସ୍ଯା । ମାଳ ମାଳ ପ୍ରଫେସର ଆସୋସିଏଟ ପ୍ରଫେସର ଆସିଷ୍ଟାଣ୍ଡ ପ୍ରଫେସର ପଦବୀ ଖାଲି ପଡିଛି । ଏପରିକି ମେଡିକାଲ ପରିଚାଳନା ପାଇଁ ନାହାନ୍ତି ସ୍ଥାୟୀ ଅଧିକ୍ଷକ । ଯିଏ କଲେଜ ଅଧକ୍ଷ ସିଏ ଚଳାଉଛନ୍ତି ମେଡିକାଲ । ଫଳରେ ମେଡିକାଲରୁ ଫେରି ଘରୋଇ ହସପିଲରେ ଶୋଷଣର ଶିକାର ହେଉଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ । ଯାହାକୁ ନେଇ ବଢୁଛି ଅସନ୍ତୋଷ ।
ଏସସିବି ମେଡିକାଲର ବିଭିନ୍ନ ବିଭାଗ, ଆଇସିୟୁ, କାଜୁଏଲଟି ତଥା ମେଡିକାଲ ଶିକ୍ଷାଦାନ ପାଇଁ ୪୦୬ ପୋଷ୍ଟ ରହିଛି । କିନ୍ତୁ ଏଠାରେ ୬୩ ସ୍ୱୀକୃତି ପ୍ରାପ୍ତ ପ୍ରଫେସର ଥିବା ବେଳେ ଅଛନ୍ତି ୪୧ ଜଣ । ୧୨ ପଦବୀ ଖାଲି ଥିବା ବେଳେ ୧୦ ଜଣ ଅବସରପ୍ରାପ୍ତ ପ୍ରଫେସରଙ୍କୁ ଥଇଥାନ କରାଯାଇଛି । ସେହିପରି ୧୦୬ ଆସୋସିଏଟ ପ୍ରଫେସର ପଦବୀରୁ ଅଛନ୍ତି ମାତ୍ର ୬୧ ଜଣ । ୨୩୭ ଜଣ ଆସିଷ୍ଟାଣ୍ଡ ପ୍ରଫେସରରୁ ଅଛନ୍ତି ୧୯୭ ଜଣ । କର୍ତ୍ତୃପକ୍ଷ ଏହାକୁ ସ୍ୱୀକାର କରୁଥିଲେ ସୁଦ୍ଧା ଚିକିତ୍ସା ସେବା ବିଗିଡ଼ିବା ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି । କିନ୍ତୁ ଯେତେ ଲୁଚାଇଲେ ବି ଏହି ସଂଖ୍ୟା ହିଁ ଏସସିବିରେ କିପରି ଚାଲିଛି ଚିକିତ୍ସା ସେବା ତାହା ବୟାନ କରୁଛି ।