ସକ୍ରିୟ ରହିଛି ଲଘୁଚାପ, ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା

ଭୁବନେଶ୍ୱର: ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ । ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି । ଆଜି ବର୍ଷା ନେଇ ୬ ଜିଲ୍ଲାକୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ସତର୍କତା ଜାରି ହୋଇଛି । ମୌସୁମୀ ନିମ୍ନ ଚାପରେଖା ଦକ୍ଷିଣ ଭାଗରୁ ଧିରେ ଧିରେ ସାଧାରଣ ଅବସ୍ଥାନକୁ ଫେରୁଛି । ପ୍ରଭାବରେ କାଲିଠୁ ରାଜ୍ୟରେ ବର୍ଷାର ବିସ୍ତୃତି ପୁଣି ବଢିବ । ବିଶେଷ କରି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡା ସମେତ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି କିଛି ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ।