କଲେଜିୟମ ସିଷ୍ଟମ ପ୍ରସଙ୍ଗରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ ଖପ୍ପା

1 min read

ନୂଆଦିଲ୍ଲୀ: କଲେଜିୟମ ସିଷ୍ଟମ ପ୍ରସଙ୍ଗରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ମନ୍ତବ୍ୟକୁ ନେଇ ଖପ୍ପା ସୁପ୍ରିମକୋର୍ଟ । ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ବିବୃତିକୁ ସମାଲୋଚନା କରିଛନ୍ତି କୋର୍ଟ । କଲେଜିୟମ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେବା ଅନୁଚିତ ଥିଲା ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଏହା ସହ ଉଚ୍ଚବିଚାର ବିଭାଗରେ ନିଯୁକ୍ତିରେ ବିଳମ୍ବ ପ୍ରସଙ୍ଗ ନେଇ ମଧ୍ୟ ଉତକ୍ଷିପ୍ତ ହୋଇଛନ୍ତି କୋର୍ଟ ।

କୋର୍ଟ କହିଛନ୍ତି- ଉଚ୍ଚ ପଦବୀରେ ଥାଇ ଏପରି ବିବୃତି ଦେବା ଅଶୋଭନୀୟ । ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ତାଙ୍କୁ ବିଶେଷ ଗୁରୁତ୍ବ ଦିଆଯାଉ ନଥିବା ନେଇ ଅସନ୍ତୁଷ୍ଟ ଥିବା ମନ୍ତ୍ରୀ ରିଜିଜୁ ନିଯୁକ୍ତିର ତରିକା ତଥା କଲୋଜିୟମକୁ ସମାଲୋଚନା କରିଥିଲେ । ୧୯୯୧ ପୂର୍ବରୁ ସମସ୍ତ ବିଚାରପତିଙ୍କୁ ସରକାର ନିଯୁକ୍ତି ଦେଉଥିବାବେଳେ ପରେ କୋର୍ଟଙ୍କ ଏକ ରାୟ ଅନୁସାରେ କଲେଜିୟମ ବ୍ୟବସ୍ଥା ଲାଗୁ କରାଯାଇଥିଲା ।

ଏକ ଆଲୋଚନା ଚକ୍ରରେ ଯୋଗ ଦେଇ ରିଜିଜୁ କହିଥିଲେ- ଭାରତର ସମ୍ବିଧାନ ପ୍ରତ୍ୟେକଙ୍କ ଲାଗି ବିଶେଷ କରି ସରକାରଙ୍କ ଲାଗି ଏକ ଧାର୍ମିକ ଦଲିଲ । କେତେକ ବିଚାରପତିଙ୍କ ନିଷ୍ପତ୍ତି ଅନୁସାରେ ବର୍ତ୍ତମାନ ବିଚାରପତି ନିଯୁକ୍ତି ଦିଆଯାଉଛି । ବିଚାରପତିଙ୍କ ନିଷ୍ପତ୍ତି ଉପରେ ଦେଶର ସମର୍ଥନ ରହିଛି ବୋଲି କିପରି ବିଶ୍ବାସ କରାଯାଇପାରିବ ବୋଲି ପ୍ରଶ୍ନ କରିଥିଲେ ରିଜିଜୁ ।

କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ କହିଥିଲେ ଯେ ଅନେକ ସମୟରେ ମିଡିଆ ରିପୋର୍ଟ ତ୍ରୁଟିପୂର୍ଣ୍ଣ ରହୁଛି । ଏହା ସହ ବିଚାରବିଭାଗ ସଂକ୍ରାନ୍ତରେ ନିଷ୍ପତ୍ତି ନନେବାକୁ ସୁପ୍ରିମକୋର୍ଟ ସତର୍କ କରାଇବା ସହ ଏପରି ବିବାଦ ପ୍ରସଙ୍ଗରେ ଏକ ବିଚାରବିଭାଗୀୟ ନିଷ୍ପତ୍ତି ନେବାକୁ ଆମକୁ ବାଧ୍ୟ କରନ୍ତୁ ନାହିଁ ବୋଲି କହିଛନ୍ତି କୋର୍ଟ । ଏହା ସହ ବିଚାର ବିଭାଗରେ ନିଯୁକ୍ତିରେ ଯଥେଷ୍ଟ ବିଳମ୍ବ ହେଉଥିବାରୁ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ ।