SEBCଙ୍କ ଲାଗି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ: ଅର୍ଥନୈତିକ ପଛୁଆ ବର୍ଗ ବା ଇଡବ୍ଲୁଏସ ବର୍ଗ ଲାଗି ସରକାରୀ ଚାକିରି ଓ ଶିକ୍ଷା ପ୍ରତିଷ୍ଠାନରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ । ଆଜି ଏନେଇ ଶୁଣାଣି କରିବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୫ ଜଣିଆ ଖଣ୍ଡପୀଠ । ୧୦୩ତମ ସମ୍ବିଧାନ ସଂଶୋଧନ ଅନୁସାରେ ୧୦ ପ୍ରତିଶତ ସଂରକ୍ଷଣ ସପକ୍ଷରେ ପୂର୍ବରୁ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଥିଲେ ତାହା ବିରୋଧରେ ଆଗତ ପିଟିସନର ଶୁଣାଣି କରିବେ ଖଣ୍ଡପୀଠ ।

୨୦୨୨ ନଭେମ୍ବର ୭ରେ ମାମଲାର ଶୁଣାଣି କରି ୩-୨ ମତରେ ୧୦ ପ୍ରତିଶତ ସଂରକ୍ଷଣକୁ କାଏମ ରଖିଥିଲେ ସର୍ବୋଚ୍ଚ ଅଦାଲତ । ସେତେବେଳେ ତତକାଳୀନ ସିଜେଆଇ ୟୁ.ୟୁ ଲଳିତ, ଜଷ୍ଟିସ ଦିନେଶ ମାହେଶ୍ବରୀ, ଜଷ୍ଟିସ ଏ. ରବିନ୍ଦର ଭଟ୍ଟ, ଜଷ୍ଟିସବେଲା ଏମ. ତ୍ରିବେଦୀ ଓ ଜଷ୍ଟିସ ଜେ.ବି. ପାର୍ଦିଓ୍ବାଲା ମାମଲାର ଶୁଣାଣି କରିବା ସହ ସଂରକ୍ଷଣ ସପକ୍ଷରେ ରାୟ ଦେଇଥିଲେ ।

ଅର୍ଥନୈତିକ ପଛୁଆ ବର୍ଗଙ୍କ ଲାଗି ଚାକିରି ଓ ଆଡମିଶନ କ୍ଷେତ୍ରରେ ୨୦୧୯ରେ କେନ୍ଦ୍ର ସରକାର ୧୦ ପ୍ରତିଶତ ସଂରକ୍ଷଣ ନିୟମ ଆଣିଥିଲେ । ତଫସିଲଭୁକ୍ତ ଜାତି, ତଫସିଲଭୁକ୍ତ ଜନଜାତି ଓ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ବା ଏସଇବିସି ଲାଗି ସଂରକ୍ଷିତ ୫୦ ପ୍ରତିଶତ ନିୟମ ବାହାରେ ରହିଯାଇଥିବା ଇଡବ୍ଲୁଏସ ବର୍ଗଙ୍କ ଲାଗି ୧୦ ପ୍ରତିଶତ ସଂରକ୍ଷଣ ଲାଗି ସରକାର ନିୟମ କରିଥିଲେ । ସମ୍ବିଧାନର ୧୦୩ତମ ସଂଶୋଧନ ଆଇନ-୨୦୧୯ ଅନୁସାରେ ଇଡବ୍ଲୁଏସ ବର୍ଗ ଲାଗି ୧୦ ପ୍ରତିଶତ ସଂରକ୍ଷଣ ନିୟମ କାର୍ଯ୍ୟକାରୀ ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କ୍ଷମତା ପ୍ରଦାନ କରାଯାଇଛି ।