ପୁଣି ବଢିପାରେ ନାଇଡୁଙ୍କ ଅଡୁଆ, ନିୟମିତ ଜାମିନ ପ୍ରଦାନ ବିରୋଧରେ ଆଜି ସୁପ୍ରିମ ଶୁଣାଣି

ଅମରାବତୀ: ପୁଣି ବଢିପାରେ ତେଲଗୁ ଦେଶମ ପାର୍ଟି ସୁପ୍ରିମୋ ତଥା ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ଅଡୁଆ । ନାଇଡୁଙ୍କୁ ନିୟମିତ ଜାମିନ ପ୍ରଦାନ ବିରୋଧରେ ଆନ୍ଧ୍ରପ୍ରଦେଶ ସରକାର କରିଥିବା ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ନାଇଡୁଙ୍କ ବିରୋଧରେ ଆଗତ ଏହି ଆବେଦନର ଶୁଣାଣି କରିବେ ଜଷ୍ଟିସ ବେଲା ଏମ ତ୍ରିବେଦୀ, ଏସ.ସି. ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ।

ଗତ ନଭେମ୍ବର ୨୦ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଖଣ୍ଡପୀଠ ନାଇଡୁଙ୍କୁ ପ୍ରଦାନ କରିଥିଲେ ନିୟମିତ ଜାମିନ । ପୂର୍ବରୁ ଗତ ଅକ୍ଟୋବର ୩୧ରେ ମେଡିକାଲ କାରଣରୁ ନାଇଡୁଙ୍କୁ ମିଳିଥିଲା ଅନ୍ତରୀଣ ଜାମିନ । ୩୭୧ କୋଟି ଟଙ୍କା ଦୁର୍ନୀତି ମାମଲାରେ ନାଇଡୁଙ୍କୁ ଗତ ସେପ୍ଟେମ୍ବର ୯ ତାରିଖରେ ଗିରଫ କରିଥିଲା ସିଆଇଡି ।

ନାଇଡୁଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ଅସାଧୁ ଉପାୟ ଅବଲମ୍ବନ, ବେଆଇନ ସମ୍ପତ୍ତି ହସ୍ତାନ୍ତର ସମେତ ଧାର 465 ଲାଗିଥିଲା । ଏହି ଦୁର୍ନୀତି ମାମଲାରେ ଗତ 2021ରେ ଏକ ମାମଲା ରୁଜୁ ହୋଇଥିଲା ।