ଶିବସେନା ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସରୁନି ମହା’ନାଟକ’ । ନୂଆ ସରକାର ଗଠନ ପରେ ବିଧାୟକଙ୍କ ଅଯୋଗ୍ୟତା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଶିବସେନା ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ଶିବସେନା ସଦସ୍ୟଙ୍କ ବିରୋଧରେ ଆସିଥିବା ଅଯୋଗ୍ୟତା ପ୍ରସ୍ତାବ ଉପରେ ମହାରାଷ୍ଟ୍ରର ନୂଆ ସ୍ପିକର କୌଣସି କାର୍ଯ୍ୟାନୁଷ୍ଠାନ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀରେ ଥିବା ବିଧାୟକ ଓ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଗୋଷ୍ଠୀର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦୁଇ ପକ୍ଷରୁ ପିଟିସନ ଦାଏର ହୋଇଥିଲା । ତେବେ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ବେଞ୍ଚ ଗଠନ କରିବେ । ଏଥିପାଇଁ ସମୟର ଆବଶ୍ୟକତା ରହିଛି । କୋର୍ଟ ରାୟ ନଦେବା ପର୍ଯ୍ୟନ୍ତ ସ୍ପିକର କୌଣସି କାର୍ଯ୍ୟାନୁଷ୍ଠାନ ନକରିବାକୁ ପ୍ରଧାନ ବିଚାରପତି ଏନଭି ରମଣା କହିଛନ୍ତି ।