ସମଲିଙ୍ଗୀ ବିବାହକୁ ସ୍ବୀକୃତି ନଦେବା ବ୍ୟକ୍ତିଙ୍କ ସ୍ବାଭିମାନ ଉପରେ ଆଞ୍ଚ୍‌

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ଉତ୍ତର ରଖିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ସ୍ବତନ୍ତ୍ର ବିବାହ ଆଇନ ଅନୁସାରେ ଦେଶରେ ସମଲିଙ୍ଗୀ ବିବାହକୁ ଆଇନସମ୍ମତ କରିବା ପ୍ରସଙ୍ଗରେ ମତ ରଖିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଅଦାଲତ । ବିଭିନ୍ନ ଧର୍ମର ପର୍ସନାଲ ଲ ଅନୁସାରେ ବିବାହ କରିପାରୁ ନଥିବା ବ୍ୟକ୍ତିମାନେ ସାମାଜିକ ପ୍ରଥା ଅନୁସାରେ ବିବାହ କରିବାର ବ୍ୟବସ୍ଥା ସ୍ବତନ୍ତ୍ର ବିବାହ ଆଇନରେ ରହିଛି ।

ତେବେ ସମଲିଙ୍ଗୀ ବିବାହକୁ ଆଇନସମ୍ମତ କରାଯାଇପାରିବ କି ନାହିଁ ସେନେଇ କେନ୍ଦ୍ର ସରକାରଙ୍କ ମତ ଚାହିଁଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ହିମା କୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆଗତ ଦୁଇଟି ପିଟିସନର ଶୁଣାଣି କରୁଛନ୍ତି । ସମଲିଙ୍ଗୀ ବିବାହକୁ ସ୍ବୀକୃତି ନଦେବା ଜଣେ ବ୍ୟକ୍ତିଙ୍କ ସ୍ବାଭିମାନ ଉପରେ ଆଞ୍ଚ ଆସୁଛି ବୋଲି ପିଟିସନରେ ଦର୍ଶାଯାଇଛି ।

ଏନେଇ କେନ୍ଦ୍ର ସରକାର ଓ ଆଟର୍ଣ୍ଣି ଜେନେରାଲଙ୍କୁ କୋର୍ଟ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେବା ସହ ୪ ସପ୍ତାହ ପରେ ମାମଲାର ଶୁଣାଣି ଲାଗି କୋର୍ଟ କହିଛନ୍ତି । ଏହା ସହ ଦିଲ୍ଲୀ ଓ କେରଳ ହାଇକୋର୍ଟରେ ରହିଥିବା ଏ ସଂକ୍ରାନ୍ତ କେତେକ ମାମଲାର ଶୁଣାଣି କରିବାକୁ ବି କୋର୍ଟ ସ୍ଥିର କରିଛନ୍ତି । ଆବେଦନକାରୀମାନେ ଦର୍ଶାଇଛନ୍ତି ସମଲିଙ୍ଗୀ ବିବାହକୁ ସ୍ବୀକୃତି ନଦେବା ଅର୍ଥ ସମ୍ବିଧାନର ଧାରା 14 ଓ 21ର ଉଲ୍ଲଂଘନ କରିବା ।

ପାର୍ଥ ଫିରୋଜ ମଲହୋତ୍ରା ଓ ଉଦୟରାଜ ଆନନ୍ଦ ନାମକ ଦୁଇ ବ୍ୟକ୍ତି ସୁପ୍ରିମକୋର୍ଟରେ ଆବେଦନ କରି କହିଥିଲେ ଯେ, ସେମାନେ ଗତ 17 ବର୍ଷ ଧରି ସମ୍ପର୍କରେ ଅଛନ୍ତି ଏବଂ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି । ମାତ୍ର ସେମାନଙ୍କ ବିବାହକୁ ଆଇନସମ୍ମତ କରାଯାଉନାହିଁ କିମ୍ବା ଦୁଇ ସନ୍ତାନଙ୍କ ଉପରେ ସେମାନଙ୍କର ଆଇନଗତ ଅଧିକାର ନାହିଁ । ଏଣୁ ଏହି ବିବାହକୁ ଆଇନଗତ ଭାବେ ସ୍ବୀକୃତି ଦିଆଯାଉ । ସହମତି ଭିତ୍ତିରେ ଅପ୍ରାକୃତିକ ଯୌନକ୍ରିୟାକୁ ଆଇପିସିର ଧାରା 377 ଅନୁସାରେ ଏକ ଅପରାଧ ବୋଲି ଦର୍ଶାଯାଇଥିବାବେଳେ 2018ରେ ସୁପ୍ରିମକୋର୍ଟଙ୍କ ଏକ ସାମ୍ବିଧାନିକ ଖଣ୍ଡପୀଠ ଏହା ଏକ ଅପରାଧ ନୁହେଁ ବୋଲି କହିଥିଲେ ।