ସଦଗୁରୁଙ୍କୁ ଆଶ୍ବସ୍ତି: ଇଶା ଫାଉଣ୍ଡେସନ ବିରୋଧରେ ପୋଲିସ ତଦନ୍ତ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ରୋକ

ନୂଆଦିଲ୍ଲୀ: ସଦଗୁରୁଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି । ସଦଗୁରୁଙ୍କ ଦ୍ବାରା ପରିଚାଳିତ ଇଶା ଫାଉଣ୍ଡେସନ ବିରୋଧରେ ପୋଲିସ ତଦନ୍ତ ଲାଗି ମାଡ୍ରାସ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ତଦନ୍ତ ପ୍ରକ୍ରିୟାରେ ରୋକ ଲଗାଇବା ସହ ଏକ ଷ୍ଟାଟସ ରିପୋର୍ଟ ଦାଖଲ ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ହାଇକୋର୍ଟ ନିର୍ଦ୍ଦେଶ ଅନୁସାରେ ଏହି ମାମଲାରେ ପୋଲିସ କୌଣସି ପଦକ୍ଷେପ ନେବା ଅନୁଚିତ ବୋଲି କହିଛନ୍ତି କୋର୍ଟ । ସିଜେଆଇ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହା କହିଛନ୍ତି । ଗତ ୧ ତାରିଖରେ କୋଏମ୍ବାଟୁରସ୍ଥିତ ଆଶ୍ରମରେ ଶତାଧିକ ପୋଲିସ ପ୍ରବେଶ କରିବା ପରେ ମାମଲା ପହଞ୍ଚିଥିଲା ସୁପ୍ରିମକୋର୍ଟରେ । ଦୁଇ ଝିଅ ଗୀତା ଓ ଲତାଙ୍କୁ ବାବାଙ୍କ ଆଶ୍ରମରେ ରଖାଯାଇଥିଲା । ପରିବାର ସହ ସେମାନଙ୍କୁ ମିଶିବାକୁ ଦିଆଯାଉନାହିଁ ବୋଲି ମାଡ୍ରାସ ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ ଦୁଇ ଝିଅଙ୍କ ବାପା ପ୍ରଫେସର କାମରାଜ ।

ତେବେ ଫାଉଣ୍ଡେସନ ପକ୍ଷରୁ କୁହାଯାଇଥିଲା ଆଶ୍ରମରେ ରହୁଥିବା ଦୁଇ ଝିଅଙ୍କ ବୟସ ୪୨ ଓ ୩୯ । ସେମାନେ ନିଜ ଇଚ୍ଛାନୁସାରେ ଆଶ୍ରମରେ ରହୁଛନ୍ତି । ଆଶ୍ରମ ମଧ୍ଯକୁ ପିଟିସନରକାରୀ ଓ କିଛି ଲୋକ ଜବରଦସ୍ତ ପ୍ରବେଶ ଉଦ୍ୟମ କରିଥିଲେ ବୋଲି ଇଶା ଫାଉଣ୍ଡେସନ ପକ୍ଷରୁ କୁହାଯାଇଥିଲା ।