NEET କାଉନ୍ସେଲିଂରେ ରହିତାଦେଶ ଜାରି କରିବାକୁ ମନାକଲେ ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ: NEET ପରୀକ୍ଷା ମାମଲାରେ NTAକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ  । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏହାଦ୍ବାରା ପରୀକ୍ଷାର ପବିତ୍ରତା ନଷ୍ଟ ହୋଇଛି  । ଏଭଳି କ୍ଷେତ୍ରରେ ଏନଟିଏକୁ ଜବାବ ଦେବା ଉଚିତ  । କାଉନ୍ସେଲିଂରେ ରହିତାଦେଶ ଲଗାଇବା ପାଇଁ ମନା କରିଛନ୍ତି ସର୍ବୋଚ୍ଚ ଅଦାଲତ  । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ରେ ହେବ  ।

ନିଟ୍‌ ପରୀକ୍ଷାରେ ପୂର୍ବରୁ ଅନିୟମିତତା ହୋଇଥିବା ନେଇ ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଥିଲେ ଆବେଦନକାରୀ  । ପରୀକ୍ଷାକୁ ରଦ୍ଦ କରିବା ପାଇଁ ଯାଚିକାରେ ଆବେଦନ କରାଯାଇଥିଲା  । ଏହି ପରୀକ୍ଷାରେ ଅନିୟମିତତାକୁ ନେଇ ସୋମବାର ଦିନ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିଥିଲେ  ।

ପୂର୍ବରୁ ନିଟ ନେଇ ହୋଇଥିବା ଅନିୟମିତତା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ବୋଲି କହିଥିଲେ ଏନଟିଏ ଡିଜି ସୁବୋଧ କୁମାର ସିଂହ। ଗତ ମେ ୫ ରେ ନିଟ୍ ହୋଇଥିଲା। ଏଥିରେ ପ୍ରାୟ ୨୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। କିନ୍ତୁ ୬ଟି ସେଣ୍ଟରରେ ୧୬୦୦ ପିଲାଙ୍କ ମାର୍କକୁ ନେଇ ଦେଖାଦେଇଥିଲା ବିବାଦ। କାରଣ ଗ୍ରେସ୍ ମାର୍କ ଦିଆଯିବାରୁ ଏହି ପିଲାଙ୍କୁ ଅଧିକ ମାର୍କ ମିଳିଛି। ବିଶେଷ କରି ଗୋଟିଏ ସେଣ୍ଟରର ପିଲା ବହୁତ ମାର୍କ ପାଇଛନ୍ତି।

ଏପରିକି ୬୭ ଜଣ ଛାତ୍ରଛାତ୍ରୀ ସର୍ବାଧିକ ୭୨୦ ଲେଖାଏଁ ମାର୍କ ରଖିଥିଲେ। ହରିଆଣାର ଗୋଟିଏ ପରୀକ୍ଷା କେନ୍ଦ୍ରର ୬ ଜଣଙ୍କୁ ମିଳିଥିଲା ୧ ନମ୍ବର ରାଙ୍କ୍ । ତେଣୁ ଜାଲିଆତି ହୋଇଥିବା ଅଭିଯୋଗ କରି ଆଉ ଥରେ ନିଟ୍ ପରୀକ୍ଷା କରାଇବାକୁ କେତେକ ଦାବି କରିଥିଲେ। କିନ୍ତୁ ପରୀକ୍ଷାରେ କୌଣସି ଜାଲିଆତି ହୋଇନାହିଁ କିମ୍ବା ପ୍ରଶ୍ନପତ୍ର ଲିକ୍ ହୋଇନାହିଁ ବୋଲି ଏନଟିଏ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।