spot_img

Latest Posts

ଓଡ଼ିଶାରେ ଓକିଲଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ଭୁବନେଶ୍ୱର: ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ କ୍ଷୁବ୍ଧ ସୁପ୍ରିମକୋର୍ଟ । ଆନ୍ଦୋଳନରତ ଓକିଲଙ୍କ ସହ ଭଦ୍ରୋଚିତ କଥାବାର୍ତ୍ତା କରିବାର ଆବଶ୍ୟକ ନାହିଁ । ସେମାନଙ୍କୁ ହାଜତରେ ପୂରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ ପରିସର ମଧ୍ୟରେ ଭଙ୍ଗାରୁଜା କରିଥିବା ଆଇନଜୀବୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଓଡିଶା ସରକାର ଓ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୧୪ ତାରିଖରେ ଡିଜି ଓ ଏସପିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ ମାସ ଧରି ସମ୍ବଲପୁର ଓକିଲଙ୍କ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ ଏହି ଚରମବାଣୀ ଶୁଣାଇଛନ୍ତି ।

ଓକିଲଙ୍କ ଆନ୍ଦୋଳନ ବନ୍ଦ କରିବା ପାଇଁ ପୋଲିସର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ସୁପ୍ରିମକୋର୍ଟ ଖପ୍ପା ହୋଇଛନ୍ତି । ଓକିଲଙ୍କ ଆନ୍ଦୋଳନ ଯୋଗୁ ସମ୍ବଲପୁରରେ କୋର୍ଟରେ ହୋଇଥିବା ଭଙ୍ଗାରୁଜା ଘଟଣାର ହିଂସାତ୍ମକ ଭିଡିଓ କ୍ଲିପ ଦେଖିବା ପରେ ସୁପ୍ରିମକୋର୍ଟ ଖୁବ୍ ବର୍ଷିଛନ୍ତି । ଆସନ୍ତା ବୁଧବାର ଦିନ ସୁପ୍ରିମକୋର୍ଟରେ ହାଜର ହୋଇ ତଥ୍ୟ ଦେବାକୁ ରାଜ୍ୟ ପୋଲିସ୍ ଡିଜି ଓ ସମ୍ବଲପୁର ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଏ.କେ. କୌଲ ଓ ଜଷ୍ଟିସ ଏ.ଏସ. ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ ।

କେବଳ ସେତିକି ନୁହେଁ କୋର୍ଟ ସଫା ସଫା କହିଛନ୍ତି ଓକିଲଙ୍କ ସହ ଭଦ୍ର ଆଚରଣ କରିବାର ଆବଶ୍ୟକତା ନାହିଁ । ବାର୍ କାଉନସିଲ ଅଫ୍ ଇଣ୍ଡିଆକୁ ମଧ୍ୟ ସୁପ୍ରିମକୋର୍ଟ ତଥ୍ୟ ତଲବ କରିଛନ୍ତି । କେତେ ଓକିଲଙ୍କ ଲାଇସେନ୍ସ ବର୍ତ୍ତମାନ ସୁଦ୍ଧା ରଦ୍ଦ କରିଛ ? ୧୪ ତାରିଖରେ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଲା ଓକିଲଙ୍କ ଆନ୍ଦୋଳନକୁ ଦମନ କରିବା ଲାଗି ଯଦି ରାଜ୍ୟ ପୋଲିସ୍ ଅସମର୍ଥ ହେଉଛି ତା ହେଲେ ଅର୍ଦ୍ଧ ସାମରିକ ବାହିନୀ ନିୟୋଜନ କରିବା ଲାଗି ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି ।

ଏହାସହ ଆବଶ୍ୟକ ପଡିଲେ ହଜାର ହଜାର ଓକିଲଙ୍କୁ ହେପାଜତକୁ ନିଆଯାଇ ପାରିବ ବୋଲି କୋର୍ଟ ରୋକଠୋକ କହିଛନ୍ତି। ଆଜି ଓକିଲଙ୍କ ଆନ୍ଦୋଳନ ସଂପର୍କରେ ବିଚାର କରି ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯେଉଁ ଓକିଲମାନେ ଆନ୍ଦୋଳନ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର । ସୁପ୍ରମକୋର୍ଟ ପୂର୍ବରୁ ଦେଇଛନ୍ତି ନିର୍ଦ୍ଦେଶ । ତାକୁ ମାନିବା ବଦଳରେ ଓକିଲମାନେ ଯେଉଁଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି ତାକୁ ନେଇ ସୁପ୍ରିମୋକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି ।

ଆନ୍ଦୋଳନ ବନ୍ଦ ନହେବା ଯାଏ କୌଣସି ସମାଧାନ ହୋଇ ପାରିବ ନାହିଁ ବୋଲି ସିଧାସଳଖ ଚେତାବନୀ ଦେଇଛନ୍ତି । ସେହିଭଳି ଓକିଲଙ୍କ ଆଚଣରେ କ୍ଷୁବ୍ଧ ଜଷ୍ଟିସ୍ କୌଲ୍ କହିଛନ୍ତି ଏଭଳି ବିଶୃଙ୍ଖଳା ସୃଷ୍ଟି ହେଉଥିବା ସ୍ଥାନରେ ହାଇକୋର୍ଟର ବେଞ୍ଚ ସ୍ଥାପନ ହେବାକୁ ଦିଆଯିବ ନାହିଁ । ଓକିଲମାନେ ଯଦି ଅଧିକ ବିଶୃଙ୍ଖଳିତ ହେବେ ତାହେଲେ ସେମାନଙ୍କୁ ହାଜତରେ ଭର୍ତ୍ତି କରାଯିବ ଓ ଯେପରି ଜାମିନ୍ ପାଇବେ ନାହିଁ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ।

Latest Posts

Don't Miss