ସରକାରୀ ବିଜ୍ଞାପନରେ ବ୍ୟବହାର ହୋଇପାରିବ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କ ଫଟୋ : ସୁପ୍ରିମକୋର୍ଟ
1 min read
ନନ୍ଦିଘୋଷ ବ୍ୟୁରୋ : ସରକାରୀ ବିଜ୍ଞାପନରେ ବ୍ୟବହାର ହୋଇପାରିବ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କ ଫଟୋ । ଏହା ଉପରେ ନିଷେଧାଦେଶ ଜାରି କରିଥିବା ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ନେତୃତ୍ବାଧୀନ ସରକାରର ଏକ ବିଜ୍ଞାପନର ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କ ବ୍ୟବହାର ହୋଇଥିବା ପ୍ରତିବାଦରେ ମାଡ୍ରାସ ହାଇକୋର୍ଟରେ ଦାୟର ହୋଇଥିଲା ପିଟିସନ । ମାମଲାର ଶୁଣାଣି କରି ଫଟୋ ବ୍ୟବହାର ଉପରେ ଜାରି କରିଥିଲେ ହାଇକୋର୍ଟ । ପ୍ରତିବାଦରେ ତାମିଲନାଡୁ ସରକାର ସୁପ୍ରିମକୋର୍ଟ ଯାଇଥିଲେ । ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରି କହିଛନ୍ତି- କୌଣସି ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କ ଫଟୋ ବ୍ୟବହାର କରିପାରିବେ । ସାରା ଦେଶରେ ଏହି ନିୟମ କାର୍ଯ୍ଯକାରୀ ହେବ । ବିଭିନ୍ନ କଲ୍ଯାଣମୂଳକ ଯୋଜନାର ବିଜ୍ଞାପନ ପ୍ରସାର ବେଳେ ତାମିଲନାଡୁ ସରକାର କେତେକ ବିଭିନ୍ନ ଦଳର କେତେକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଫଟୋ ପ୍ରସାରିତ କରିଥିଲେ ।
ତାମିଲନାଡୁ ସରକାରଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା- ସାରା ଦେଶରେ ବିଭିନ୍ନ ରାଜ୍ୟ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କ ଫଟୋ ବ୍ୟବହାର କରୁଛନ୍ତି । ଏଥିଲାଗି କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ । ତେଣୁ ତାମିଲନାଡୁ ସରକାରଙ୍କୁ ଏଥିଲାଗି ଅନୁମତି ମିଳୁ । କୌଣସି ରାଜନେତାଙ୍କ ନାମରେ ଯୋଜନାକୁ ନାମିତ କରିବାରେ ସୁପ୍ରିମକୋର୍ଟ କୌଣସି ପ୍ରତିବନ୍ଧକ ଲଗାଇନାହାନ୍ତି ବୋଲି ଯୁକ୍ତି ବାଢ଼ିଥିଲା ଡିଏମକେ । କୋର୍ଟରେ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଯୁକ୍ତି ବାଢିଥିଲେ ଯେ, ତାମିଲନାଡୁ ସରକାରଙ୍କ ଷ୍ଟାଲିନ ଉଇଥ ୟୁ ଯୋଜନା ଏକ ନୂଆ ଯୋଜନା ନୁହେଁ, ବରଂ ଏକ ବିଭିନ୍ନ ଯୋଜନାର ସୁଫଳ ପାଇବା ଲାଗି ନାଗରିକମାନଙ୍କୁ ସକ୍ଷମ କରିବା ଦିଗରେ ଏହି ଡିଜିଟାଲ ପ୍ଲାଟଫର୍ମ ଉଦ୍ଦିଷ୍ଟ । ପୂର୍ବରୁ କେତେକ ରାୟରେ ସରକାରୀ ଯୋଜନା କ୍ଷେତ୍ରରେ ସାମ୍ବିଧାନିକ ପଦାଧିକାରୀ ଯଥା ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ମୁଖ୍ୟ ବିଚାରପତିମାନଙ୍କ ଫଟୋ ଲଗାଯାଇପାରିବ ବୋଲି କହିଥିଲେ ସୁପ୍ରିମକୋର୍ଟ । ଡିଏମକେ ସରକାରଙ୍କ ବିରୋଧରେ ଏହି ପ୍ରସଙ୍ଗରେ କୋର୍ଟକୁ ଯାଇଥିବାରୁ ଏଆଇଏଡିଏମ ସାଂସଦ ସନମୁଗମଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ ।