ଭୋପାଳ ଗ୍ୟାସ ଟ୍ରାଜେଡି ମାମଲା: ପୀଡିତଙ୍କୁ ଅଧିକ କ୍ଷତିପୂରଣ ଦେବା ପ୍ରସଙ୍ଗରେ ଆଜି ଶୁଣାଣି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ୧୯୮୪ ଭୋପାଳ ଗ୍ୟାସ ଟ୍ରାଜେଡି ମାମଲା । ପୀଡିତଙ୍କୁ ଅଧିକ କ୍ଷତିପୂରଣ ଦେବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ କ୍ୟୁରେଟିଭ ପିଟିସନ ନେଇ ଆଜି ଚୂଡ଼ାନ୍ତ ରାୟ ଦେବେ ସୁପ୍ରିମକୋର୍ଟ । ଆମେରିକୀୟ କମ୍ପାନି ୟୁନିଅନ କାର୍ବାଇଡ କର୍ପୋରେସନ ଠାରୁ ଅଧିକ କ୍ଷତିପୂରଣ ପାଇବା ଲାଗି କେନ୍ଦ୍ର ସରକାର ଦାଖଲ କରିଥିଲେ କ୍ୟୁରେଟିଭ ପିଟିସନ । ୟୁନିଅନ କାର୍ବାଇଡ କର୍ପୋରେସନ ବର୍ତ୍ତମାନ ଡୋ କେମିକାଲ୍ସ ମାଲିକାନାରେ ରହିଛି । ପୂର୍ବରୁ ଜଷ୍ଟିସ ସଞ୍ଜୟ କିଷନ କୌଲଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ପୀଡିତଙ୍କୁ ଅଧିକ ୭ ହଜାର ୮୪୪ କୋଟି ଟଙ୍କା ଅତିରିକ୍ତ କ୍ଷତିପୂରଣ ଦେବା ଲାଗି କେନ୍ଦ୍ର ସରକାର ଡୋ କେମିକାଲ୍ସ ବିରୋଧରେ ଗତ ୨୦୧୦ ଡିସେମ୍ବରରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ ।

ଜଷ୍ଟିସ କୌଲଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠରେ ଯେଉଁ ଅନ୍ୟ ସଦସ୍ୟମାନେ ରହିଛନ୍ତି ସେମାନେ ହେଲେ ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଅଭୟ ଏସ. ଓକା, ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଜେ.କେ. ମହେଶ୍ବର । ଗତ ଜାନୁଆରୀରେ ମାମଲାର ଶୁଣାଣି ହୋଇଥିଲା । ତେବେ ରାୟକୁ ମାର୍ଚ୍ଚ ୧୪ ଯାଏ ସ୍ଥଗିତ ରଖିଥିଲେ କୋର୍ଟ । ଶୁଣାଣି ବେଳେ ୟୁନିଅନ କାର୍ବାଇଡ ପକ୍ଷରୁ ଅଧିକ କ୍ଷତିପୂରଣ ଦାବିକୁ ବିରୋଧ କରାଯାଇଥିଲା ଏବଂ ୧୯୮୯ରେ ହୋଇଥିବା ସେଟେଲମେଣ୍ଟ ଅନୁସାରେ ବର୍ତ୍ତମାନ ଅଧିକ କ୍ଷତିପୂରଣ ସମ୍ଭବ ନୁହେଁ ବୋଲି ଦର୍ଶାଯାଇଥିଲା । ପୂର୍ବରୁ ୧୯୮୯ ସେଟେଲମେଣ୍ଟ ଅନୁସାରେ କେନ୍ଦ୍ର ସରକାର ପ୍ରାୟ ୭୧୫ କୋଟି ଟଙ୍କା କ୍ଷତିପୂରଣ ବାବଦରେ ପାଇସାରିଛନ୍ତି । ତେବେ ସେହି ସେଟେଲମେଣ୍ଟରେ ପ୍ରକୃତ ଜନଜୀବନର କ୍ଷତି ଓ ପରିବେଶଗତ କ୍ଷତିକୁ ସଠିକ୍ ଆକଳନ କରାଯାଇ ନଥିବାରୁ ପରବର୍ତ୍ତୀ ପର୍ଯ୍ୟାୟରେ ସରକାର ୭ ହଜାର ୮୪୪ କୋଟି ଟଙ୍କା କ୍ଷତିପୂରଣ ଚାହିଁଛନ୍ତି ବୋଲି ଦର୍ଶାଇଛନ୍ତି ।

ଗତ ଜାନୁଆରୀରେ ମାମଲାର ଶୁଣାଣି ବେଳେ ଦୀର୍ଘ ୩୦ ବର୍ଷ ପରେ କାହିଁକି ଏହି ଅତିରିକ୍ତ କ୍ଷତିପୂରଣ ଦାବି କରାଯାଉଛି ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । ୧୯୮୪ ଡିସେମ୍ବର ୨ ଓ ୩ ତାରିଖରେ ଭୋପାଳସ୍ଥିତ ୟୁନିଅନ କାର୍ବାଇଡରୁ ପ୍ରାୟ ୪୦ ଟନ୍ ମିଥାଇଲ ଆଇସୋସିଆନେଟ ଗ୍ୟାସ ଲିକ୍ ହେବାରୁ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ, ୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ ।