ଇସି ନିଯୁକ୍ତି ପ୍ରସଙ୍ଗ; କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ବା ସିଇସି ଓ ନିର୍ବାଚନ କମିଶନର ବା ଇସି ନିଯୁକ୍ତି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ନିଜ ପସନ୍ଦ ଅନୁସାରେ କାର୍ଯ୍ୟରତ ବ୍ୟୁରୋକ୍ରାଟଙ୍କୁ ଯେପରି ନିର୍ବାଚନ କମିଶନରେ ଅବସ୍ଥାପିତ କରାଯାଉଛି, ତାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅଦାଲତ। ରାଜନୀତିରେ ନଥିବା ତଥା ସ୍ବଚ୍ଛ ବ୍ୟକ୍ତିବିଶେଷଙ୍କୁ ଏହି ପଦବୀରେ ଅବସ୍ଥାପିତ କରିବା ସହ ସ୍ବଚ୍ଛତା ଓ ନିରପେକ୍ଷତା ଭିତ୍ତିରେ ବ୍ୟକ୍ତି ବିଶେଷଙ୍କୁ ଅଭିଷିକ୍ତ କରିବା ଲାଗି ସୁପ୍ରିମକୋର୍ଟ ଦେଇଛନ୍ତି ପରାମର୍ଶ।
କାର୍ଯ୍ୟରତ ବ୍ୟୁରୋକ୍ରାଟଙ୍କୁ ସିଇସି ଓ ଇସି ପଦରେ ବାରମ୍ବାର ନିଯୁକ୍ତି କରାଯାଉଥିବାରୁ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଥିବା ବେଳେ ନିଜ ପସନ୍ଦର ବ୍ୟକ୍ତିଙ୍କୁ ଏହି ପଦବୀରେ ନିଯୁକ୍ତି କଲେ ସ୍ୱାଧୀନ ତଥା ନିରପେକ୍ଷ ନିଷ୍ପତ୍ତି ନେବା କ୍ଷେତ୍ରରେ ପ୍ରତିବନ୍ଧକ ହେବ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ କେ.ଏମ. ଯୋଶେଫ, ଅଜୟ ରାସ୍ତୋଗୀ, ଅନିରୁଦ୍ଧ ବୋଷ, ହୃଷୀକେଶ ରୟ, ସିଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମତ ଦେଇଛନ୍ତି। ନିର୍ବାଚନ କମିଶନଙ୍କୁ ବିଭିନ୍ନ ବାହ୍ୟଚାପରୁ ମୁକ୍ତ ରଖିବା ପ୍ରସଙ୍ଗରେ ଆଗତ କେତେକ ପିଟିସନର ଶୁଣାଣି କରି କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି ।
ସିଇସି ଓ ଇସି ଚୟନ ଓ ନିଯୁକ୍ତି କ୍ଷେତ୍ରରେ ଏକ ଆଇନ ଆଣିବା ଲାଗି ସମ୍ବିଧାନର ଧାର 324(2)ରେ ବ୍ୟବସ୍ଥା ରହିଥିଲେ ମଧ୍ୟ ଏହା କରାଯାଉନାହିଁ । ସମ୍ବିଧାନର ଏହି ବ୍ୟବସ୍ଥାକୁ ଜାଣିଶୁଣି ନିଜ ସ୍ବାର୍ଥ ସପକ୍ଷରେ ବ୍ୟବହାର କରାଯାଉଛି ବୋଲି କୋର୍ଟ କହିଛନ୍ତି । ଟିଏନ ଶେଷାନଙ୍କ ପରଠାରୁ ଦେଶରେ ସିଇସିମାନଙ୍କୁ ଖୁବ୍ କମ ସମୟ ଲାଗି ନିଯୁକ୍ତି କରାଯାଉଛି ଯାହା କି ଉଦବେଗଜନକ। ଫଳରେ ନିର୍ବାଚନ କମିଶନଙ୍କ ଦୃଷ୍ଟିଭଙ୍ଗୀ ସଠିକ୍ ପ୍ରତିଫଳିତ ହୋଇପାରୁ ନଥିବା ସହ ଏହାର ସ୍ବାଧୀନତା କ୍ଷୁଣ୍ଣ ହେଉଛି ।
ଇସି ନିଯୁକ୍ତି କ୍ଷେତ୍ରରେ ସ୍ବଚ୍ଛତା ରକ୍ଷା କରାଯାଉଛି ବୋଲି ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣୀ କହିଥିଲେ ମଧ୍ୟ କୋର୍ଟ ସନ୍ତୁଷ୍ଟ ହୋଇ ନାହାନ୍ତି। ସମ୍ବିଧାନ ପ୍ରତିଷ୍ଠାର ପ୍ରାୟ ୭୦ ବର୍ଷ ପରେ ବି ଇସି ଚୟନ ସଂକ୍ରାନ୍ତ ଆଇନ କାହିଁକି ଆସିପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଯେଉଁ ଦଳ କ୍ଷମତାକୁ ଆସୁଛି ସେହି ଦଳ କ୍ଷମତା ଧରି ରଖିବାକୁ ସର୍ବଦା ଚାହୁଁଛି ଏବଂ ନିଜ ଇଚ୍ଛାନୁସାରେ ଯେ କେହି ବ୍ୟକ୍ତିଙ୍କୁ ଇସିଆଇ ଓ ଇସି ପଦବୀରେ ଅବସ୍ଥାପିତ କରାଯାଉଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।