ଉପବାଚସ୍ପତିଙ୍କୁ ନୋଟିସ, ୧୧ରେ ପରବର୍ତ୍ତୀ ଶୁଣାଣି

ମୁମ୍ବାଇ: ମହାରାଷ୍ଟ୍ର ମହାଭାରତରେ ବିଦ୍ରୋହୀଙ୍କୁ ଆଶ୍ବସ୍ତି । ଉପବାଚସ୍ପତିଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ । ବିଦ୍ରୋହୀ ବିଧାୟକଙ୍କ ଯାଚିକା ଉପରେ ଉପବାଚସ୍ପତି ନରହରି ଜିରୱାଲଙ୍କୁ ନୋଟିସ ପଠାଇଛନ୍ତି ସୁପ୍ରିମକୋର୍ଟ । ଆଗାମୀ ଜୁଲାଇ ୧୧ରେ ପରବର୍ତ୍ତୀ ଶୁଣାଣି ହେବ । ପରବର୍ତ୍ତୀ ଶୁଣାଣି ଯାଏ ୧୬ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ।  ସେହିପରି ଉପବାଚସ୍ପତି ଓ ମହାରାଷ୍ଟ୍ର ସରକାର ଓ କେନ୍ଦ୍ରକୁ ମଧ୍ୟ ସମନ ଜାରି କରିଛନ୍ତି ସୁପ୍ରିମକୋର୍ଟ ।

ସର୍ବୋଚ୍ଚ ଅଦାଲତ ବିଦ୍ରୋହୀଙ୍କ ସପକ୍ଷରେ କହିଛନ୍ତି ଯେ ଉପବାଚସ୍ପତିଙ୍କ ଭୂମିକା ସନ୍ଦେହଜନକ । ବିଦ୍ରୋହୀଙ୍କୁ ଅଯୋଗ୍ୟ ଦର୍ଶାଇବା ପାଇଁ ସେ କିପରି ନୋଟିସ ପଠାଇ ପାରିଲେ ?

ସିନ୍ଦେ ଗୋଷ୍ଠୀ ଯେତେବେଳେ ଅଯୋଗ୍ୟ ପ୍ରସ୍ତାବ ବିରୁଦ୍ଧରେ ଉପବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସେତେବେଳେ ସେ ପ୍ରସଙ୍ଗକୁ ସଦନରେ ନରଖି ଖାରଜ କରି ଦେଇଥିଲେ  । ଯାହାକୁ ବିରୋଧ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ନିଜ ବିରୁଦ୍ଧରେ ଆସିଥିବା ନୋଟିସରେ ସେ ନିଜେ କିପରି ବିଚାରପତି ସାଜିଲେ?

ଅନ୍ୟପଟେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଲଢୁଥିବା ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି କହିଛନ୍ତି ଯେ ବିଦ୍ରୋହୀ ବିଧାୟକଙ୍କୁ ପ୍ରଥମେ ହାଇକୋର୍ଟ ଯିବା ଉଚିତ ଥିଲା ।

ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ମହାରାଷ୍ଟ୍ର ରାଜରାସ୍ତାରେ ଶିବସେନା ଓ ସିନ୍ଦେ ସମର୍ଥକ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ରାଜ୍ୟରେ ଘନ ଘନ ବୈଠକ ବସୁଛି । ଏକନାଥ ସିନ୍ଦେ ବିଦ୍ରୋହୀଙ୍କ ସହ ବୈଠକ ଡାକିଛନ୍ତି । ସେପଟେ ବିଜେପି ନେତା ଦେବେନ୍ଦ୍ର ଫଡନଭିସ ଆଜି ପୁଣି ଦିଲ୍ଲୀ  ଯାଇ ଅମିତ ଶାହାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଶିବସେନାର ବିଦ୍ରୋହୀ ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ୧୫ ଅନ୍ୟ ସମର୍ଥକ ବିଧାୟକଙ୍କୁ ବିଧାନସଭା ଉପାଧ୍ୟକ୍ଷ ଅଯୋଗ୍ୟ ଦର୍ଶାଇ ନୋଟିସ ଜାରି କରିଥିଲେ । ଯାହା ବିରୁଦ୍ଧରେ ସୁପ୍ରିମକୋର୍ଟ ଯାଇଥିଲେ ସିନ୍ଦେ ଗୋଷ୍ଠୀ  ।