ବିଭ୍ରାନ୍ତିକର ବିଜ୍ଞାପନ ନେଇ ପତଞ୍ଜଳିକୁ ନୋଟିସ୍

ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦକୁ ସୁପ୍ରିମ ଝଟକା। ପତଞ୍ଜଳି ଆୟୁର୍ବେଦ ସହ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ବାଲକୃଷ୍ଣଙ୍କୁ ଅଦାଲତ ଅବମାନନା ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ। ବିଭିନ୍ନ ରୋଗରୁ ଉପଶମ ନେଇ ଭ୍ରମିତ କରୁଥିବା ବିଜ୍ଞାପନକୁ ନେଇ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
ଭବିଷ୍ୟତରେ ଏଭଳି ସାମଗ୍ରୀ ନେଇ ଭ୍ରମିତ କରୁଥିବା ବିଜ୍ଞାପନ ପ୍ରଚାର କଲେ ପ୍ରତି ଉତ୍ପାଦନ ପାଇଁ ୧ କୋଟି ଲେଖାଏଁ ଜୋରିମାନା ହେବ ବୋଲି ଚେତାଇ ଦେଇଛନ୍ତି ଜଷ୍ଟିସ ଅମାନୁଲ୍ଲା। କମ୍ପାନୀ ସହ କର୍ତ୍ତୃପକ୍ଷଙ୍କ ବିରୋଧରେ କାହିଁକି କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବନି ବୋଲି ପଚାରିଛନ୍ତି ସୁପ୍ରିମକୋର୍ଟ।ପ୍ରକାଶ ପାଇଥିବା ଏକ ବିଜ୍ଞାପନକୁ ଆଧାର କରି ଏହି ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଛାପା ସହ ଅନ୍ଯ କୌଣସି ଗଣମାଧ୍ୟମରେ କୌଣସି ପ୍ରକାର ଚିକିତ୍ସା ପ୍ରଣାଳୀ ବିରୋଧରେ ବୟାନ ନଦେବାକୁ ମଧ୍ଯ ଚେତାଇ ଦେଇଛନ୍ତି।
ପୂର୍ବରୁ ମଧ୍ଯ ଗତ ୨୧ ନଭେମ୍ବରରେ ପତଞ୍ଜଳି ଆୟୁର୍ବେଦକୁ ସୁପ୍ରିମକୋର୍ଟ ଏ ପ୍ରସଙ୍ଗରେ ନୋଟିସ ଜାରି କରିଥିଲେ। ପତଞ୍ଜଳି ପକ୍ଷରୁ ରକ୍ତଚାପ, ମଧୁମେହ, ଶ୍ଵାସ, ମେଦବହୁଳତା ରୋଗ ପୂରା ଉପଶମ କରିବା ଦାବି କେମିତି କରୁଛି ବୋଲି ପଚାରିଛନ୍ତି କୋର୍ଟ। ଏହା ଡ୍ରଗ୍ସ ଆଣ୍ଡ ମ୍ଯାଜିକ୍ ରିମେଡିଜ୍ ଅଧିନିୟମର ଉଲ୍ଲଂଘନ କରୁଛି। ଏହାସହ ଏଲାପାଥି ସହ ଅନ୍ଯ ଚିକିତ୍ସା ବ୍ୟବସ୍ଥାକୁ ନେଇ ମଧ୍ଯ ସମାଲୋଚନା ସହ ବଦନାମ କରିପାରିବେ ନାହିଁ ବୋଲି କହିଛନ୍ତି। ପୂର୍ବରୁ ୨୦୨୩ ନଭେମ୍ବର ୨୯ରେ ଇଣ୍ଡିଆନ ମେଡିକାଲ ଆସୋସିଏସନର ଆବେଦନ ଉପରେ ପତଞ୍ଜଳି ଉପରେ କଡ଼ା ଆକ୍ଷେପ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ। ଆଲୋପାଥିକୁ ନେଇ ପତଞ୍ଜଳି ପକ୍ଷରୁ ବିଭିନ୍ନ ବୟାନ ସହ ଟିକା ବ୍ୟବସ୍ଥାକୁ ସମାଲୋଚନା କରିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ନିନ୍ଦା କରିଥିଲେ।