କୋଟିଆରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା ଦାବି ଖାରଜ

ନୂଆଦିଲ୍ଲୀ: କୋଟିଆ ମାମଲାରେ ଓଡ଼ିଶାର ବଡ଼ ବିଜୟ । ସୁପ୍ରିମକୋର୍ଟରେ ଆନ୍ଧ୍ରକୁ ଝଟକା । କୋଟିଆରେ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ଆନ୍ଧ୍ରର ପିଟିସନକୁ ଖାରଜ କଲେ ସର୍ବୋଚ୍ଚ ଅଦାଲତ । ଏଥର କୋଟିଆରେ ସଫଳତାର ସହିତ ପଞ୍ଚାୟତ ନିର୍ବାଚନ କରିଛି ଓଡ଼ିଶା । ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଆନ୍ଧ୍ର । ଓଡ଼ିଶାର ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ପାଇଁ ଆନ୍ଧ୍ର ଅପିଲ୍ କରିଥିଲା ।

ଏହା ସହିତ କୋଟିଆ ଗ୍ରାମପୁଞ୍ଜ ଆନ୍ଧ୍ରର ବୋଲି ଘୋଷଣା କରିବାକୁ ପିଟିସନରେ ଅପିଲ୍ ହୋଇଥିଲା । ଆନ୍ଧ୍ରର ପିଟିସନର କଡ଼ା ଜବାବ ଦେଇଥିଲା ଓଡ଼ିଶା । କୋଟିଆ ଓଡ଼ିଶାର ଏବଂ ଓଡ଼ିଶା ଏଥର ସଫଳତାର ସହିତ ପଞ୍ଚାୟତ ନିର୍ବାଚନ କରିଥିବା କୋର୍ଟଙ୍କୁ ଜଣାଇଥିଲା । ଉଭୟପକ୍ଷକୁ ଶୁଣିବା ପରେ ଆନ୍ଧ୍ରର ପିଟିସନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଯାହାକୁ କୋଟିଆ ପ୍ରସଙ୍ଗରେ ଆନ୍ଧ୍ରର ଷଡ଼ଯନ୍ତ୍ରକୁ ବଡ଼ ଝଟକା ମିଳିଛି ।

କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ମଧ୍ୟ ବାରମ୍ବାର କୋଟିଆକୁ ଦଖଲ କରିବାକୁ ଆନ୍ଧ୍ର ଷଡ଼ଯନ୍ତ୍ର କରୁଛି । ଓଡ଼ିଶା ସରକାର କୋଟିଆରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଜାରି ରଖିଛନ୍ତି । ପ୍ରଶାସନର ଫୋକସରେ ରହିଛି କୋଟିଆର ବିକାଶ । ତଥାପି ଆନ୍ଧ୍ର ତା’ର ବିସ୍ତାରବାଦୀ ନୀତିକୁ ଛାଡ଼ି ପାରୁନି ।

ସୂଚନା ଯୋଗ୍ୟ ଯେ ପୂର୍ବରୁ ଆନ୍ଧ୍ର ମଧ୍ୟ କାେଟିଆରେ ଜୋରଜବରଦସ୍ତି ନିର୍ବାଚନ କରାଇଥିଲା । କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ଚ୍ୟାଲେଞ୍ଜ କରିଥିଲା ଓଡ଼ିଶା । ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସ୍ଥିତାବସ୍ଥା ଜାରି ରଖିବା ପାଇଁ ମାମଲା ହୋଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମିଶ୍ର ମାମଲା ରୁଜୁ କରିଥିଲେ । ୨୦୦୬ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା ଅଭିଯୋଗ କରିଥିଲା ଓଡ଼ିଶା । ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି ଆନ୍ଧ୍ରର ମୁଖ୍ୟ ଶାସନ ସଚିବ । ଆନ୍ଧ୍ର ବିରୋଧରେ କାହିଁକି ଅବମାନନା ମାମଲା ରୁଜୁ ହୋଇଛି ସେନେଇ ଓଡ଼ିଶା ବସ୍ତୃତ ତଥ୍ୟ ରଖିଥିଲା ।