ସରକାରୀ ବିଜ୍ଞାପନରେ ସୁପ୍ରିମ ଗାଇଡଲାଇନ୍ସ, ୧୬୩ କୋଟି ଗଣିବେ କେଜ୍ରିୱାଲ ସରକାର

1 min read

ନୂଆଦିଲ୍ଲୀ: ସରକାର-ଉପ ରାଜ୍ୟପାଳଙ୍କ ମଧ୍ୟରେ ପୁଣି ତୁତୁ ମେଁମେଁ । ଆମ ଆଦମୀ ପାର୍ଟିର ସମ୍ପତ୍ତି ଜବତ କରିବାକୁ ଜାରି ହୋଇଛି ନୋଟିସ । ପଲିଟିକାଲ ଆଡ୍ ବାବଦ ୧୬୩ କୋଟି ଖର୍ଚ୍ଚକୁ ନେଇ ଜୋର ଧରିଛି ରାଜନୀତି । ବିଜ୍ଞାପନ ବାବଦକୁ ଦଳ ଖର୍ଚ୍ଚ କରିଥିବା ଟଙ୍କା ଆସନ୍ତା ୧୦ ଦିନରେ ଆଦାୟ କରିବାକୁ ନୋଟିସ ଜାରି କରିଛନ୍ତି ଉପ ରାଜ୍ୟପାଳ ବି କେ ସକ୍ସେନା ।

ମାସକ ତଳେ ବିଜ୍ଞାପନ ବାବଦ ଟଙ୍କା ଆଦାୟ ପାଇଁ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ଉପରାଜ୍ୟପାଳ । ଏବେ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟିକୁ ନୋଟିସ ଜାରି କରାଯାଇଛି । ସୂଚନା ଓ ପ୍ରସାରଣ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ନୋଟିସରେ ବିଜ୍ଞାପନ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥର ସୁଧ ମଧ୍ୟ ଭରଣା କରିବାକୁ ଉଲ୍ଲେଖ ରହିଥିବା ଜଣାପଡ଼ିଛି ।

ଧାର୍ଯ୍ୟ ସମୟ ମଧ୍ୟରେ ଟଙ୍କା ଭରଣା ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆମ ଆଦମୀ ପାର୍ଟିର ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି ନୋଟିସ କରାଯାଇଛି । ୩୧ ମାର୍ଚ୍ଚ ୨୦୧୭ ସୁଦ୍ଧା ୯୯ କୋଟି ୩୧ ଲକ୍ଷ ଟଙ୍କା ବିଜ୍ଞାପନ ବାବଦକୁ ଖର୍ଚ୍ଚ କରିଥିଲା ଆପ୍ । ଏହି ରାଶିରେ ୬୪ କୋଟି ୩୧ ଲକ୍ଷ ଟଙ୍କାର ସୁଧ ମିଶାଇ ୧୬୩ କୋଟି ଦେବାକୁ ଆମ ଆଦମୀ ପାର୍ଟିକୁ ନୋଟିସ କରାଯାଇଛି । ଦିଲ୍ଲୀ ସରକାର ନିର୍ବାଚନ ସମୟରେ କେତେ ଟଙ୍କା ବିଜ୍ଞାପନ ପାଇଁ ଖର୍ଚ୍ଚ କରିଛନ୍ତି ତା’ର ଅଡିଟ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା ।