ଘୁଞ୍ଚିବନି GATE-2022, ନିର୍ଦ୍ଧାରିତ ସମୟରେ ହେବ ପରୀକ୍ଷା: ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ: ଘୁଞ୍ଚିବନି ଗେଟ୍-୨୦୨୨ ପରୀକ୍ଷା । ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ GATE-2022 ପରୀକ୍ଷା । ପରୀକ୍ଷା ଘୁଞ୍ଚିବ ନାହିଁ ବୋଲି ସ୍ପଷ୍ଟୀକରଣ କରିଛନ୍ତି ସୁପ୍ରିମକୋର୍ଟ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗେଟ୍-୨୦୨୨ ପରୀକ୍ଷାକୁ ଘୁଞ୍ଚାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିଯାଇଥିଲା । କିନ୍ତୁ ଏହି ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଗୁରୁବାର ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରି କହିଥିଲେ କି ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି । ଦେଶରେ ଏବେ ସବୁକିଛି ଖୋଲା ରହିଛି । ଏପରି ସ୍ଥିତିରେ ଯଦି ଗେଟ୍-୨୦୨୨ ପରୀକ୍ଷା ସ୍ଥଗିତ ରଖାଯାଏ ତେବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହେବ । ଏଥିସହ ଯେଉଁ ପିଲାମାନେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ସହ ଖେଳା ଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ସୂଚନା ଅନୁସାରେ ଗେଟ୍-୨୦୨୨ ପରୀକ୍ଷା ଫେବ୍ରୁଆରୀ ୫, ୬, ୧୨ ଓ ୧୩ରେ ଅନୁଷ୍ଠିତ ହେବ । ଚଳିତ ଥର ଗେଟ୍ ପରୀକ୍ଷା ପାଇଁ ପ୍ରାୟ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ତେବେ ଗେଟ୍-୨୦୨୨ ପରୀକ୍ଷା ସ୍ଥଗିତ କରିବା ପାଇଁ ସୁପ୍ରିମକୋର୍ଟରେ ଦୁଇଟି ପିଟିସନ ଦାୟର ହୋଇଥିଲା । ଗୋଟିଏ ପିଟିସନ ଜଣେ ଗେଟ୍ ପାଇଁ ଥିବା ଆଶାୟୀ କରିଥିବାବେଳେ ଆଉ ଏକ ପିଟିସନ ଉମେଶ ଦାଣ୍ଡେ ଦାୟର କରିଛନ୍ତି ଯିଏ ଏକ ଶିକ୍ଷା ପ୍ରତିଷ୍ଠାନ ଚଳାଉଛନ୍ତି । ତେବେ ଏହି ଉଭୟ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

Leave a Reply