spot_img

Latest Posts

ଇତିହାସରେ ପ୍ରଥମ ଥର ଲାଗି ଜଣେ ସମଲିଙ୍ଗୀ ହେବେ ବିଚାରପତି, ସୁପାରିସ କଲେ ସୁପ୍ରିମକୋର୍ଟ କଲେଜିୟମ

ନୂଆଦିଲ୍ଲୀ: ଇତିହାସରେ ପ୍ରଥମ ଥର ଲାଗି ଜଣେ ସମଲିଙ୍ଗୀ ହେବେ ବିଚାରପତି। ବରିଷ୍ଠ ଆଡଭୋକେଟ ସୌରଭ କ୍ରିପାଳଙ୍କୁ ଦିଲ୍ଲୀ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି କରିବା ଲାଗି ସୁପାରିସ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ସୌରଭ ଖୋଲାଖୋଲି ଭାବେ ସମଲିଙ୍ଗୀ ଜୀବନକୁ ସମର୍ଥନ କରି ଆସୁଛନ୍ତି। ସୌରଭଙ୍କୁ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଲାଗି ସମସ୍ତ ପ୍ରକ୍ରିୟା ଶେଷ କରିବା ସକାଶେ ଗତ ମାର୍ଚ୍ଚରେ ତତକାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ କେନ୍ଦ୍ର ସରକାରଙ୍କୁ କହିଥିଲେ।

ପୂର୍ବରୁ ଗତ ୨୦୧୭ ଅକ୍ଟୋବରରେ ଦିଲ୍ଲୀ ହାଇକୋର୍ଟ କଲେଜିୟମ ସୌରଭଙ୍କ ନିଯୁକ୍ତି ଲାଗି ସହମତି ଭିତ୍ତିରେ ସୁପାରିସ କରାଯାଇଥିଲା। ଚତୁର୍ଥ ଥର ଲାଗି ସୌରଭଙ୍କ ସଂକ୍ରାନ୍ତ ନିଷ୍ପତ୍ତି ଚୂଡାନ୍ତ ଅବସ୍ଥାରେ ପହଞ୍ଚିଛି। ସୌରଭ ଦିଲ୍ଲୀ ସେଣ୍ଟ ଷ୍ଟିଫେନ୍ସ କଲେଜର ଗ୍ରାଜୁଏଟ। ସେ ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଅଣ୍ଡରଗ୍ରାଜୁଏଟ ଲ ପାସ୍ କରିବା ସହ କେମ୍ବ୍ରିଜ ୟୁନିଭର୍ସିଟିରୁ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି।

ତାଙ୍କର ବଳିଷ୍ଠ ଯୁକ୍ତି ଯୋଗୁ ୨୦୧୮ରେ ସମ୍ବିଧାନରୁ ହଟିଥିଲା ଧାରା ୩୭୭ । ସୁପ୍ରିମକୋର୍ଟଙ୍କ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବରିଷ୍ଠ ଆଡଭୋକେଟ ଇନ୍ଦିରା ଜୟସିଂ। ଏକ ହାଇକୋର୍ଟରେ ଭାରତରେ ପ୍ରଥମ ଥର ଲାଗି ଜଣେ ସମଲିଙ୍ଗୀ ବିଚାରପତି ହେବାକୁ ଯାଉଥିବାରୁ ସେ ସୌରଭଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଚାର ବିଭାଗରେ ସାମୂହିକ ଅନ୍ତର୍ଭୁକ୍ତିର ଉଦାହରଣ ସୃଷ୍ଟି ହୋଇଛି ଏବଂ ଲିଙ୍ଗଗତ ବୈଷମ୍ୟ ଦୂର ହୋଇଛି ବୋଲି ସେ କହିଛନ୍ତି।

Latest Posts

Don't Miss