ଲଖୀମପୁର ଖେରୀ ମାମଲା : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅର ଜାମିନ ରଦ୍ଦ

ନୂଆଦିଲ୍ଲୀ: ଲଖିମପୁର ଖିରି କାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶୀଷ ମିଶ୍ରାଙ୍କୁ ପୁଣି ଜେଲ ଯିବାକୁ ପଡିବ । ସୁପ୍ରିମକୋର୍ଟ୍ ସୋମବାର ଦିନ ଆହ୍ଲାବାଦ ହାଇକୋର୍ଟଙ୍କ ପ୍ରଦତ୍ତ ଜାମିନକୁ ରଦ୍ଦ କରିଦେଇଛନ୍ତି । ଆଶୀଷଙ୍କ ଜାମିନକୁ ରଦ୍ଦ କରି ସୁପ୍ରିମ କୋର୍ଟ ତାଙ୍କୁ ଆଗାମୀ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ଆଦେଶ ଦେଇଛନ୍ତି । ଜାମିନ ରଦ୍ଦ କରି ସୁପ୍ରିମ କୋର୍ଟ କହିଛନ୍ତି ଯେ, ଆହ୍ଲାବାଦ ହାଇକୋର୍ଟ୍ ଦ୍ୱାରା ଦିଆଯାଇଥିବା ଜାମିନ ତରବରିଆ ନିଷ୍ପତ୍ତି ଥିଲା । ହାଇକୋର୍ଟ ପୀଡିତ ପକ୍ଷକୁ ନଶୁଣି ଏକତରଫା ଜାମିନ ଦେଇଥିଲେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ପୀଡିତ ପକ୍ଷ ଓ ଅନ୍ୟ ବିନ୍ଦୁ ଉପରେ ବିଚାର କରି ସର୍ବୋଚ୍ଚ ଅଦାଲତ ତୁରନ୍ତ ଜାମିନ ରଦ୍ଦ କରିବାକୁ କହିଥିଲେ ।

ଆଶୀଷ ମିଶ୍ରାଙ୍କୁ ମଧ୍ୟ ମିଳିଲା ଆଶ୍ୱସ୍ତି
ତେବେ ଆଶୀଶ ମିଶ୍ରାଙ୍କ ପାଇଁ ଆଶ୍ୱସ୍ତିର ଖବର ହେଉଛି ଯେ, ସେ ପୁଣିଥରେ ଜାମିନ ପାଇଁ ଆବେଦନ କରିପାରିବେ । ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟରେ ପୁଣିଥରେ ଜାମିନ ଆବେଦନ କରିବାକୁ କହିଛନ୍ତି । ଅର୍ଥାତ ଆଶୀଷଙ୍କ ପାଇଁ ଏବେ ମଧ୍ୟ ଗୋଟିଏ ଦ୍ୱାରା ଖୋଲା ଅଛି ।

ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ କହିଲେ ଟିକାଏତ
ଆଶୀଷଙ୍କ ଜାମିନ ଆବେଦନ ରଦ୍ଦ ସଂକ୍ରାନ୍ତୀୟ ଆଦେଶ ପାଇଁ ଚାଷୀ ନେତା ରାକେଶ ଟିକାଏତ ସୁପ୍ରମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ଏକ ସଠିକ ନିଷ୍ପତ୍ତି ନେଇଥିବା ସୁପ୍ରିମକୋର୍ଟଙ୍କୁ ଆମେ ଧନ୍ୟବାଦ ଜଣାଇବାକୁ ଚାହୁଁଛୁ । ସରକାରଙ୍କ ତରଫରୁ ନରମନୀତି ଆପଣାଯାଇଥିଲା । ସରକାର ମନ୍ତ୍ରୀଙ୍କ ସପକ୍ଷରେ ଛିଡା ହୋଇଛି ।
୧୨୯ ଦିନ ଥିଲେ ଜେଲରେ
ଆହ୍ଲାବାଦ ହାଇକୋର୍ଟ ଫେବ୍ରୁଆରୀ ୧୦ ତାରିଖରେ ଆଶୀଷଙ୍କୁ ଜାମିନ ଦେଇଥିଲେ । ଫେବ୍ରୁଆରି ୧୫ ତାରିଖରେ ଆଶୀଷ ୧୨୯ ଦିନ ଜେଲରେ ରହିବା ପରେ ବାହାରକୁ ଆସିଥିଲେ । ସୂଚନାଯୋଗ୍ୟ ଯେ, ଲଖିମପୁର ଖୀରିର ତିକୁନିଆରେ ଅକ୍ଟୋବର ୩ ତାରିଖ ଦିନ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ଗାଡି ଚଢିଯାଇଥିଲା । ତିନୋଟି ଗାଡି ଚାଷୀଙ୍କ ଉପରକୁ ମାଡିଯାଇଥିଲା । ଏହି ଗାଡି ମଧ୍ୟରୁ ଗୋଟିକରେ ଆଶୀଷ ଥିଲେ । ଯେଉଁଥିର ୪ ଜଣ ଚାଷୀଙ୍କ ସହିତ ୮ ଜଣ ପ୍ରାଣ ହରାଇଥିଲେ ।