ଜିମ୍ କର୍ବେଟ ମୁଖ୍ୟାଞ୍ଚଳରେ ଥିବା ବାଘ ସଫାରି ଉପରେ ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଜିମ କର୍ବେଟ ନ୍ୟାସନାଲ ପାର୍କରେ ଥିବା ବାଘ ସଫାରି ଉପରେ ବୁଧବାର ସୁପ୍ରିମକୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି। କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଜାତୀୟ ବନ୍ୟଜନ୍ତୁ ସଂରକ୍ଷଣ ଯୋଜନା ସଂରକ୍ଷିତ ଅଞ୍ଚଳ ବାହାରେ ବନ୍ୟଜନ୍ତୁ ସଂରକ୍ଷଣର ଆବଶ୍ୟକତାକୁ ସ୍ୱୀକାର କରୁଛି। ଉଦ୍ୟାନର ମୁଖ୍ୟ ଅଞ୍ଚଳ ପରିବର୍ତ୍ତେ ପେରିଫେରାଲ୍ ଏବଂ ବଫର୍ ଜୋନରେ ସଫାରି ନିର୍ମାଣ କରିବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।
ରାଜ୍ୟ ପ୍ରଶାସନ ଏବଂ ରାଜନେତାମାନେ ଜନସାଧାରଣଙ୍କ ବିଶ୍ୱାସର ନୀତିକୁ ଅଳିଆଗଦାକୁ ଫିଙ୍ଗି ଦେଇଛନ୍ତି। ବାଘ ବିନା ଜଙ୍ଗଲ ନଷ୍ଟ, ତେଣୁ ଜଙ୍ଗଲ ସମସ୍ତ ବାଘକୁ ସୁରକ୍ଷା ଦେବା ଉଚିତ।
କର୍ବେଟ ଟାଇଗର ରିଜର୍ଭରେ ବେଆଇନ ନିର୍ମାଣ ଏବଂ ଗଛ କାଟିବା ପାଇଁ କୋର୍ଟ ଉତ୍ତରାଖଣ୍ଡର ପୂର୍ବତନ ଜଙ୍ଗଲ ମନ୍ତ୍ରୀ ହରକ ସିଂ ରାୱତ ଏବଂ ତତ୍କାଳୀନ ବିଭାଗୀୟ ବନ ଅଧିକାରୀ କିଶନ ଚାନ୍ଦଙ୍କୁ ଭର୍ତ୍ସନା କରିଛନ୍ତି।
ଏହା ବ୍ୟତୀତ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି, ଯାହା ଦେଖିବ ଯେ ଦେଶର ଜାତୀୟ ଉଦ୍ୟାନଗୁଡ଼ିକର ବଫର ଜୋନରେ ବା ତତସଂଲଗ୍ନ ଅଞ୍ଚଳରେ ଟାଇଗର ସଫାରି ନିର୍ମାଣ ପାଇଁ ଅନୁମତି ଦିଆଯାଇପାରିବ କି ନାହିଁ? ପୂର୍ବରୁ ଥିବା ସଫାରିଗୁଡିକ ଉପରେ ମଧ୍ୟ କମିଟିର ସୁପାରିଶ ଲାଗୁ ହେବ। କୋର୍ଟ କହିଛନ୍ତି ଯେ ମନ୍ତ୍ରୀ ଏବଂ ଡିଏଫଓଙ୍କ ଦୁଃସାହାସକୁ ନେଇ ଆମେ ଆଶ୍ଚର୍ଯ୍ୟ । ଏହି ଘଟଣାର ସିବିଆଇର ଯାଞ୍ଚକୁ କୋର୍ଟ ତଦାରଖ କରିବ ଏବଂ ତିନି ମାସ ମଧ୍ୟରେ ସିବିଆଇକୁ ଏକ ଷ୍ଟାଟସ୍ ରିପୋର୍ଟ ଦେବାକୁ ପଡ଼ିବ।
ଜିମ କର୍ବେଟ ପାର୍କରେ ସଫାରି ନିର୍ମାଣ କରିବାର ପ୍ରସ୍ତାବିତ ଯୋଜନାକୁ ଚ୍ୟାଲେଞ୍ଜ କରି ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ଏହି କମିଟି ଗଠନ କରିଛନ୍ତି। ସୁପ୍ରିମକୋର୍ଟର ବେଞ୍ଚ କହିଛନ୍ତି ଯେ, ବାଘଙ୍କ ବେଆଇନ ଶିକାର ଯଥେଷ୍ଟ ହ୍ରାସ ପାଇଛି। ଯଦିଓ ଜିମ କର୍ବେଟରେ ଗଛ ଗୁଡିକୁ ବେଆଇନ ଭାବେ କଟାଯିବା ଘଟଣାକୁ ଅଣଦେଖା କରାଯାଇପାରିବ ନାହିଁ ।