ଅବ୍ଯବସ୍ଥାରେ କଟକ ଏସବିପି ଶିଶୁ ଚିକିତ୍ସା ପ୍ରତିଷ୍ଠାନ
ନନ୍ଦିଘୋଷ ବ୍ୟୁରୋ: ଏକ କ୍ଷମତା ସଂପନ୍ନ ଆଡଭୋକେଟ କମିଟି କଟକର ପୁରାତନ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସା ପ୍ରତିଷ୍ଠାନ ବୁଲି ହସ୍ପିଟାଲର ସ୍ଥିତି ଓ ବିଭିନ୍ନ ସମସ୍ୟା ସଂପର୍କ ରେ ଅନୁଧ୍ୟାନ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅନୁଧ୍ଯାନ କରିଛି ଟିମ । ବିଶେଷ କରି ଉଭୟ ପଟ ମୁଖ୍ଯ ଫାଟକରେ ଥିବା ଜବରଦଖଲ, ପରିସରର ପରିଷ୍କାର ପରିଚ୍ଛନ୍ନତା, ଆଇସିୟୁର ବ୍ୟବସ୍ଥା ଓ ପୂର୍ବ ସରକାରଙ୍କ ଦ୍ବାରା ପ୍ରସ୍ତୁତ ସାତ ମହଲା ବିଲଡିଂ କାର୍ଯ୍ୟକ୍ଷମ ନ ହେବା ନେଇ ଚିନ୍ତାପ୍ରକଟ କରିଛନ୍ତି । ଏ ନେଇ ହାଇକୋର୍ଟଙ୍କ ପାଖରେ ଶୀଘ୍ର ରିପୋର୍ଟ ଦିଆଯିବ ବୋଲି କମିଟି ସଦସ୍ଯ କହିଛନ୍ତି ।
ଅବ୍ଯବସ୍ଥାରେ କଟକ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁ ଚିକିତ୍ସା ପ୍ରତିଷ୍ଠାନ । ଅନୁଧ୍ଯାନ ପରେ ଚିନ୍ତା ପ୍ରକଟ କଲେ ଆଡଭୋକେଟ କମିଟି । ଖୁବଶୀଘ୍ର ହାଇକୋର୍ଟଙ୍କୁ ଦିଆଯିବ ରିପୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ରେ ରାଜ୍ୟ ତଥା ପୂର୍ବ ଭାରତର ପୁରାତନ ଶିଶୁ ଚିକିତ୍ସାଳୟ କଟକ ର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ନାତକୋତ୍ତର ଶିଶୁ ରୋଗ ପ୍ରତିଷ୍ଠାନକୁ ତନ୍ନ ତନ୍ନ କରି ବୁଲି ଦେଖିଛନ୍ତି ଏକ କ୍ଷମତାସଂପନ୍ନ ଆଡଭୋକେଟ କମିଟି । ହାଇକୋର୍ଟ ବାର ଆସୋସିଏସନ ସଭାପତିଙ୍କ ନେତୃତ୍ବ ରେ ଏହି କମିଟି ପ୍ରଥମେ ଲାଲବାଗ ପଟ ମୁଖ୍ଯ ଫାଟକ ଓ ରିଙ୍ଗରୋଡ ପଟ ଗେଟରେ ଥିବା ଉଠାଦୋକାନ ଓ ଜବରଦଖଲ ବୁଲି ଦେଖିଥିଲେ। ପରେ ପରେ ପରିସରର ପରିଷ୍କାର ଓ ପରିଚ୍ଛନ୍ନତା ନେଇ ଅନୁଧ୍ୟାନ କରିଥିଲେ। ଏହା ପରେ ଆଇସିୟୁ ଓ ଏନଆଇ.ଆଇସିୟୁ ବୁଲି ଏହାର ସ୍ଥିତି ଓ ସଂଖ୍ୟା ସଂପର୍କ ରେ ତଥ୍ଯ ନେଇ ଥିଲେ ।
ହାଇକୋର୍ଟ ଆଡଭୋକେଟ କମିଟି ପୂର୍ବ ନବୀନ ସରକାର ଅମଳରେ ଶିଶୁଭବନ ପରିସରରେ ଶହ ଶହ କୋଟି ଟଙ୍କା ବ୍ୟୟବରାଦ ରେ ଗଢା ଯାଇ ଥିବା ୭ ମହଲା ନୂଆ ମଲଟି ପରପୋଜ୍ ବିଲଡିଂ ବୁଲି ଦେଖିଥିଲେ । କାମ ଦେଢ ବର୍ଷ ହେବ ସରିଥିଲେ ସୁଦ୍ଧା ଏହାକୁ କିଛି ବୈଷୟିକ ପ୍ରତିବନ୍ଧକ କାରଣରୁ ଏହା କାର୍ଯ୍ଯକ୍ଷମ ହୋଇ ନଥିବା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । କାମରେ ଆସୁ ନଥିଲେ ସୁଦ୍ଧା ମାସିକ ସାଢେ ୪ ଲକ୍ଷ ଟଙ୍କା ବିଜୁଳି ବିଲ ପୈଠ କରାଯାଉଛି । ଏ ସବୁ ସଂପର୍କ ରେ ହାଇକୋର୍ଟ ଆଡଭୋକେଟ କମିଟି ତୁରନ୍ତ ଏକ ରିପୋର୍ଟ ହାଇକୋର୍ଟଙ୍କୁ ପ୍ରଦାନ କରିବେ। ପୂର୍ବରୁ ଶିଶୁଭବନର ଭଲ ମନ୍ଦ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ହୋଇଛି । ତେବେ ହାଇକୋର୍ଟ ଆଡଭୋକେଟ କମିଟିର ଅନୁଧ୍ୟାନ ଓ ରିପୋର୍ଟ ପରେ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି ।