ଋଣ ଆଦାୟ କରିବାକୁ ଅଭିନବ ଉପାୟ ଆପଣାଇବ SBI, ଚକୋଲେଟ ଧରି ଘରେ ପହଞ୍ଚିବ

ଭୁବନେଶ୍ବର: ଇଏମଆଇ ଆଦାୟ ଲାଗି ଭାରତର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅଭିନବ ଯୋଜନା । ନିର୍ଦ୍ଧାରିତ ତାରିଖରେ ଖୁଚୁରା ଋଣ ନେଇଥିବା ଗ୍ରହୀତା ଯେପରି ନିଜର କିସ୍ତି ଠିକ୍ ସମୟରେ ଦାଖଲ କରିବେ ସେଥିଲାଗି ତାଙ୍କୁ ପ୍ରବର୍ତ୍ତାଇବା ଲାଗି ଷ୍ଟେଟବ୍ୟାଙ୍କ ଆରମ୍ଭ କରିବ ନୂଆ ଯୋଜନା । କିସ୍ତି ଦାଖଲ ପୂର୍ବରୁ ଅଚାନକ ଋଣ ଗ୍ରହୀତାଙ୍କ ଘରେ ପହଞ୍ଚିବେ ବ୍ୟାଙ୍କ କର୍ମଚାରୀ ।

ତେବେ ଖାଲି ହାତରେ ନୁହେଁ, ବରଂ ଚକୋଲେଟ ପ୍ୟାକେଟ ଧରି । ଖୁଚୁରା ଋଣ ଆଦାୟ ଅର୍ଥରେ ବ୍ୟାଙ୍କର ଋଣ ପ୍ରଦାନ ଅଭିବୃଦ୍ଧି ହାର ବଢୁଥିବାରୁ ସେମାନଙ୍କୁ ଗୁରୁତ୍ବ ଦେଇଛି ଷ୍ଟେଟବ୍ୟାଙ୍କ । ଇଏମଆଇ ଦାଖଲ ନ କରିବା ଅବସ୍ଥାରେ ଥିବା ବ୍ୟକ୍ତି ଇଏମଆଇ ଦାଖଲ ଲାଗି ବ୍ୟାଙ୍କ ପକ୍ଷରୁ ଯାଉଥିବା ଫୋନ କଲକୁ ଗ୍ରହଣ ନ କରିବା ସ୍ବାଭାବିକ ।

ତେବେ ଋଣ ଗ୍ରହୀତାଙ୍କ ମନ ଧରିବା ସହ ଇଏମଆଇ ଦାଖଲ ସକାଶେ ପ୍ରବର୍ତ୍ତାଇବା ଲାଗି ଚକୋଲେଟ ପ୍ୟାକେଟ ଉପହାର ଦେବା ଲାଗି ମନନ୍ଥ କରିଛି ଷ୍ଟେଟବ୍ୟାଙ୍କ । ଚକୋଲେଟ ପ୍ୟାକେଟ ଧରି ବ୍ୟାଙ୍କ କର୍ମଚାରୀ ଇଏମଆଇ ଦାଖଲ ତାରିଖ ପୂର୍ବରୁ ଗ୍ରହୀତାଙ୍କ ଘରେ ପହଞ୍ଚିବା ଲାଗି ଷ୍ଟେଟବ୍ୟାଙ୍କ ଯୋଜନା କରିଛି । ଖୁଚୁରା ଋଣ ପରିମାଣକୁ ବଢାଇବା ଲାଗି ଷ୍ଟେଟବ୍ୟାଙ୍କ ଏହି ଆଭିମୁଖ୍ୟ ପୋଷଣ କରିଛି ।

୨୦୨୨ ଜୁନ ତ୍ରୟମାସିକରେ ଷ୍ଟେଟବ୍ୟାଙ୍କର ଖୁଚୁରା ଋଣ ପରିମାଣ ୧୦ ଲକ୍ଷ ୩୪ ହଜାର ୧୧୧ କୋଟି ଟଙ୍କା ଥିବାବେଳେ ଚଳିତବର୍ଷ ଜୁନ ତ୍ରୟମାସିକରେ ଏହି ପରିମାଣ ହୋଇଛି ୧୨ ଲକ୍ଷ ୪ ହଜାର ୨୭୯ କୋଟି ଟଙ୍କା । ଷ୍ଟେଟବ୍ୟାଙ୍କର ଅଭିବୃଦ୍ଧି କ୍ଷେତ୍ରରେ ଖୁଚୁରା ଋଣ ପ୍ରମୁଖ ଭୂମିକା ଗ୍ରହଣ କରିଛି ।