ନିର୍ବାଚନ କମିଶନଙ୍କୁ ନିର୍ବାଚନୀ ବଣ୍ଡର ସମସ୍ତ ତଥ୍ୟ ଦେଲେ ଏସବିଆଇ, ସୁପ୍ରିମକୋର୍ଟରେ ଦାଖଲ କଲା ସତ୍ୟପାଠ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ଯାୟାଳୟ କଠୋର ହେବା ପରେ ନିର୍ବାଚନ ଆୟୋଗଙ୍କୁ ସମସ୍ତ ତଥ୍ୟ ଦେଲା ଷ୍ଟେଟ୍ ବ୍ଯାଙ୍କ । ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ମାଧ୍ୟମରେ ଅର୍ଥ ପ୍ରଦାନ ମାମଲାରେ ବାରମ୍ବାର ଦାଗିଦ ପରେ ଆଜି ଷ୍ଟେଟ ବ୍ଯାଙ୍କ ସମସ୍ତ ତଥ୍ୟ ପ୍ରଦାନ କରିଥିବା କହିଛି ।

ଷ୍ଟେଟ ବ୍ଯାଙ୍କ ଦେଇଥିବା ଏହି ତଥ୍ୟରେ ସମସ୍ତ ବଣ୍ଡର ୟୁନିକ୍ ନମ୍ବର ରହିଛି । ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଏହି ସୂଚନା ଦେଇଛି ଏସବିଆଇ । ଷ୍ଟେଟ ବ୍ଯାଙ୍କ ଅଧ୍ୟକ୍ଷ ଦୀନେଶ ଖାରାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ସତ୍ୟପାଠ ଦାଖଲ କରାଯାଇଛି । ପ୍ରତି ବଣ୍ଡର ୟୁନିକ ନମ୍ବର, କେତେ ଅର୍ଥ କାହାକୁ ଦିଆଯାଇଛି ଓ କିଏ ଅର୍ଥ ଦେଇଛି ଏହି ସମସ୍ତ ତଥ୍ୟ ଦେଇଛି ଏସବିଆଇ । ନିର୍ବାଚନୀ ବଣ୍ଡ ନେଇ ଆଉ କୌଣସି ତଥ୍ୟ ନଥିବା କହିଛି ଷ୍ଟେଟ ବ୍ଯାଙ୍କ ।

ବ୍ଯାଙ୍କ ଦେଇଥିବା ୟୁନିକ ନମ୍ବର ଜରିଆରେ ପ୍ରଦାନ ହୋଇଥିବା ଅର୍ଥର ସମସ୍ତ ତଥ୍ୟ ମିଳିପାରିବ । ଖୁବଶୀଘ୍ର ଏସବିଆଇ ଦ୍ଵାରା ଦିଆଯାଇଥିବା ବିବରଣୀ ନିର୍ବାଚନ କମିଶନ ନିଜର ୱେବସାଇଟରେ ଅପଲୋଡ କରିବେ । ଗତ ୧୮ ମାର୍ଚ୍ଚରେ ନିର୍ବାଚନୀ ବଣ୍ଡକୁ ନେଇ ଏସବିଆଇକୁ ତାଗିଦ କରିଥିଲେ ସୁପ୍ରିମକୋର୍ଟ । ଯେଉଁ ସବୁ ତଥ୍ୟ ମଗାଯାଇଥିବା ଏସବିଆଇ ଦେଇ ନଥିବା କହିଥିଲେ ସୁପ୍ରିମକୋର୍ଟ । ଏହି ସମସ୍ତ ତଥ୍ୟ ଆଜି ଅପରାହ୍ନ ୫ଟା ସୁଦ୍ଧା ଦେବାକୁ କହିଥିଲେ । ତେବେ ଧାର୍ଯ୍ୟ ସମୟ ପୂର୍ବରୁ ଷ୍ଟେଟ୍ ବ୍ଯାଙ୍କ ସମସ୍ତ ତଥ୍ୟ ପ୍ରଦାନ କରିଛି ।