୨ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଦରକାର ନାହିଁ କୌଣସି ଫର୍ମ ବା ପରିଚୟ ପତ୍ର

ନନ୍ଦିଘୋଷ ବ୍ୟୁରୋ: ୨୦୦୦ ଟଙ୍କିଆ ନୋଟ୍ କୁ ନେଇ ବଡ଼ ଅପଡେଟ ଆସିଛି । ଯଦି ଆପଣ ୨ହଜାର ଟଙ୍କିଆ ନୋଟ୍ ବଦଳାବା ପାଇଁ ବ୍ୟାଙ୍କ ଯାଉଛନ୍ତି ତେବେ କୌଣସି ବି ଫର୍ମ ଭରିବା ବା ପରିଚୟ ପତ୍ର ଦେବାର ଆବଶ୍ୟକତା ନାହିଁ । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ବ୍ରାଞ୍ଚଗୁଡ଼ିକୁ ଏକ ସର୍କୁଲାର ଜାରି କରି ଏହି ସୂଚନା ଦେଇଛି । ଏସବିଆଇର ସର୍କୁଲାର ମୁତାବକ ଏକକାଳୀନ ୨୦ ହଜାର ଟଙ୍କାର ସୀମା ପର୍ଯ୍ୟନ୍ତ ୨ହଜାର ଟଙ୍କିଆ ନୋଟ୍ ବଦଳାଯାଇ ପାରିବ । ଗତ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ୨ହଜାର ଟଙ୍କିଆ ନୋଟକୁ ପ୍ରତ୍ୟାହର କରିନେବା ନେଇ ଘୋଷଣା କରିଥିଲା ।

ଏହା ଅନୁଯାୟୀ ଯଦି ଆପଣଙ୍କ ପାଖରେ ୨ହଜାର ଟଙ୍କିଆ ନୋଟ୍ ଅଛି ତେବେ ୨୩ ମଇ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଆପଣଙ୍କୁ ନିଜର ବ୍ୟାଙ୍କ ବ୍ରାଞ୍ଚ ଯାଇ ଏହାକୁ ଅନ୍ୟ ନୋଟ୍ ସହ ବଦଳାଇବାକୁ ପଡ଼ିବ । ଏହା ବ୍ୟତୀତ ୨ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ଜମା କରିବାର ବିକଳ୍ପ ମଧ୍ୟ ରହିଛି । ବ୍ୟାଙ୍କରେ ଏହି ଟଙ୍କା ଡିପୋଜିଟ କରିବାକୁ ମଧ୍ୟ କୌଣସି ଅତିରିକ୍ତ ଫର୍ମ ଭରିବାର ଆବଶ୍ୟକତା ନାହିଁ । ପୂର୍ବଭଳି ସାମାନ୍ୟ ନିୟମ ଅନୁଯାୟୀ ଆପଣ ଟଙ୍କା ଡିପୋଜିଟ କରିପାରିବେ । ଯେଉଁ ଗ୍ରାହକଙ୍କ ପାଖରେ ଆକାଉଣ୍ଟ ନାହିଁ ସେମାନେ ମଧ୍ୟ ବ୍ରାଞ୍ଚକୁ ଯାଇ ୨ ହଜାର ଟଙ୍କାର ନୋଟ ବଦଳାଇ ପାରିବେ । ସେହିପରି ଯେଉଁ ଗ୍ରାହକଙ୍କୁ ଡିପୋଜିଟ କରିବାର ଅଛି ସେମାନଙ୍କୁ କେବଳ କେୱାଇସି ମାନଦଣ୍ଡର ପାଳନ କରିବାକୁ ପଡ଼ିବ ।