୩୧ ପଇସା ବାକି ରହି ଯାଇଥିବାରୁ NOC ଦେଲାନି SBI

1 min read

ଅହମଦାବାଦ:  ଋଣ ନେବା ଏବଂ ସୁଝିବା ଏକ ବିରାଟ ସମସ୍ୟା । ଯେପର୍ଯ୍ୟନ୍ତ ଋଣ ଜଣେ ସୁଝି ନାହାଁନ୍ତି ମୁଣ୍ଡ ଉପରେ ପାହାଡ଼ ଲଦି ହୋଇଥିବାଭଳି ମନେ ହୁଏ । କିନ୍ତୁ ସମସ୍ତ ଋଣ ସୁଝିପାରିବା ପରେ ସାମାନ୍ୟ କିଛି କାରଣ ପାଇଁ ଯଦି ହଟହଟା ହେବାକୁ ପଡ଼େ, ଚିନ୍ତା ଅଧିବ ବଢ଼ିଯାଏ । ନିକଟରେ ସେହିଭଳି ଏକ ଘଟଣା ଘଟିଛି ଜଣେ କୃଷକଙ୍କ ସହିତ ।  ଜଣେ କୃଷକ ବ୍ୟାଙ୍କରୁ ଋଣ ନେଇଥିଲେ  ଏବଂ ଧାର ଟଙ୍କା ମଧ୍ୟ ସୁଝିଦେଲେ । ପୀଡ଼ିତ ଚାଷୀ ଭାବିଲେ ସେ ବ୍ୟାଙ୍କର ସମସ୍ତ ଧାର ସୁଝି ସାରିଛନ୍ତି । ଯାହାପରେ ସେ ନୋ ଡ୍ୟୁଜ୍‌ ସାର୍ଟିଫିକେଟ୍ ବା NOC ପାଇଁ ସିଧା ପହଞ୍ଚିଲେ ବ୍ୟାଙ୍କରେ । କିନ୍ତୁ ସେଠାରେ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ କର୍ମଚାରୀ ଯେଉଁ ଜବାବ ଦେଲେ ତାହା ଶୁଣି ଚାଷୀ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ ।  ବ୍ୟାଙ୍କ୍‌ କହିଲାଯେ ୩୧ ପଇସା ସେ ସୁଝିନାହାଁନ୍ତି । ଯେଉଁଥିପାଇଁ ସାର୍ଟିଫିକେଟ୍‌ ଦିଆଯାଇପାରିବ ନାହିଁ ।  ମାମଲା ଗୁଜୁରାଟ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଲା । ମାମଲା ଶୁଣିବା ପରେ ବିଚାରକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ନ୍ୟାୟାଳୟର କହିବା ହେଉଛି ଏତେ କମ୍‌ ରାଶି ପାଇଁ NOC ନ ଦେବା କୌଣସି ଉତ୍ପୀଡ଼ନଠାରୁ କମ୍‌ ନୁହେଁ ।

ରିପୋର୍ଟ ଅନୁସାରେ, ବିଚାରପତି କରିୟା ବ୍ୟାଙ୍କ୍‌ ପ୍ରତିନିଧିତ୍ୱ କରୁଥିବା ଓକିଲଙ୍କୁ କହିଲେଯେ, କ’ଣ ଆପଣ ଜାଣିନାହାଁନ୍ତିଯେ ୫୦ ପଇସାରୁ କମ୍‌ ହେଲେ ତାହାକୁ ଅଣଦେଖା କରାଯାଏ ବୋଲି ।  ତେବେ ବିଚାରପତି ବ୍ୟାଙ୍କ୍‌ ଉପରେ ରାଗି ଯାଇଛନ୍ତି । ଏବେ ଏହି ମାମଲାର ଶୁଣାଣି ମେ ୨ରେ ହେବାକୁ ଯାଉଛି ।

ସୂଚନା ଅନୁସାରେ  ଅହମଦାବାଦର ଖୋରାଜ ଗାଁରୁ ଜଣେ ବ୍ୟକ୍ତିଙ୍କ ଠାରୁ କୃଷକ ଜଣକ ଜମି କିଣିଥିଲେ । ଜମି ବିକ୍ରି କରିଥିବା ବ୍ୟକ୍ତି ବ୍ୟାଙ୍କ୍‌ ଠାରୁ ଋଣ ନେଇଥିଲେ ।  ଋଣ ସୁଝିବା ପୂର୍ବରୁ ଉକ୍ତ ପରିବାର ଜମି ବିକ୍ରି କରି ଦେଇଥିଲେ । କିନ୍ତୁ ଜମି କିଣିଥିବା କୃଷକଙ୍କ ନାଁରେ ଜମି ହୋଇପାରିଲା ନାହିଁ । ଯେଉଁଥିପାଇଁ ୨୦୨୦ରେ ସେ ଅଦାଲତର ସାହାରା ନେଇଥିଲେ । ପରେ ସେ ସମସ୍ତ ଋଣ ସୁଝିଦେଲେ । କିନ୍ତୁ ୩୧ ପଇସା ପାଇଁ ତାଙ୍କୁ ହଟହଟା ହେବାକୁ ପଡ଼ିଲା ।