SBI ଗ୍ରାହକ ସାବଧାନ! କିଛି ବୁଝିବା ଆଗରୁ ଚୁଟକିରେ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ

1 min read

ଆପଣ ଏସବିଆଇ ଗ୍ରାହକ କି? ଆପଣଙ୍କ ପାଖକୁ ବାରମ୍ବାର ଅଜଣା ନମ୍ବରରେ କଲେ ଆସୁଛି କି? ତେବେ ସାବଧାନ। କିଛି ବୁଝିବା ଆଗରୁ, ଚୁଟକିରେ ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ। ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକମାନଙ୍କ ପାଇଁ ଜାରି କରିଛି ଏକ ଆଡ଼ଭାଇଜାରୀ। ଯେଉଁଥିରେ କୁହାଯାଇଛି ଯେ ଏହି ଦୁଇଟି ନମ୍ବରରୁ କଲ ଆସୁଥିଲୋ ଆଦୌ ଉଠାନ୍ତୁ ନାହିଁ।  ଆଉ ଯଦି ଆପଣ ଏହି ଉଠାଇବେ ତେବେ ବଡ଼ ଅସୁବିଧାରେ ପଡିପାରନ୍ତି।

ଏସବିଆଇ ପକ୍ଷରୁ ସତର୍କତା ଜାରି କରାଯାଇଥିବା ଦୁଇଟି ନମ୍ବର ହେଉଛି ‘8294710946’ ଏବଂ 7362951973।  ଇମେଲ ସମେତ ଏସଏମଏସ, ଟ୍ୱିଟ୍ ଏବଂ ଅନ୍ୟାନ୍ୟ ଉପାୟ ମାଧ୍ୟମରେ ଏସବିଆଇ ଲୋକଙ୍କୁ ଏହି ୨ଟି ନମ୍ବର ନେଇ ସଚେତନ କରିଛି। ବ୍ୟାଙ୍କ କହିଛି ଯେ ଏଥିରେ ବ୍ୟାଙ୍କର ନାମ ବ୍ୟବହାର କରି ଲୋକଙ୍କୁ ଠକାଯାଉଛି।

ଏସବିଆଇର କହିବା ଅନୁଯାୟୀ ଏହି ଦୁଇଟି ନମ୍ବରରୁ ଫୋନ କଲ କରି ସାଇବର ଠକମାନେ ବ୍ୟାଙ୍କର ନାମ ବ୍ୟବହାର କରି ଠକେଇ କରୁଛନ୍ତି। ସୂଚନା ମୁତାବକ ପ୍ରଥମେ ଏହି ଦୁଇଟି ନମ୍ବର ବାବଦରେ ସତର୍କ କରାଇଥିଲା ଆସାମ ସିଆଇଡି। ସିଆଇଡି ମୁତାବକ ଏସବିଆଇ ଗ୍ରାହକଙ୍କୁ ପ୍ରଥମେ କେୱାଇସିକୁ ଅପଡେଟ୍ କରିବା ପାଇଁ ଏହି ଦୁଇଟି ନମ୍ବରରୁ କଲ ଆସିଥାଏ। ଏବଂ ଏହାପରେ ଗ୍ରାହକଙ୍କ ଫୋନକୁ ଏକ ଲିଙ୍କ ଆସିଥାଏ। ଆଉ ଯଦି ଗ୍ରାହକ ଏହି ଲିଙ୍କ ଉପରେ ଭୁଲରେ ବି କ୍ଲିକ କରନ୍ତି, ତେବେ ତାଙ୍କ ଆକାଉଣ୍ଟରୁ ଟଙ୍କା ମୂଳପୋଛ ହୋଇଯିବ। ତେବେ ଏସବୁ ଆସାମ ସିଆଇଡି ଟ୍ୱିଟ୍ କରି ଲୋକଙ୍କୁ ସଚେତନ କରିଛି। ଟ୍ୱିଟରେ ସମସ୍ତ ଏସବିଆଇ ଗ୍ରାହକଙ୍କୁ ଏପରି କୌଣସି ସନ୍ଦେହଜନକ ଲିଙ୍କରେ କ୍ଲିକ୍ ନକରିବାକୁ ଅନୁରୋଧ କରାଯାଇଛି।

ତେବେ ଏସବିଆଇ ମଧ୍ୟ ଏହି ଟୁଇଟକୁ ସମର୍ଥନ କରି ଗ୍ରାହକଙ୍କୁ ସେହି ୨ଟି ନମ୍ବରରୁ ଫୋନ ନ ଉଠାଇବାକୁ ଏବଂ କେୱାଇସି ଅପଡେଟ୍ ଲିଙ୍କରେ କ୍ଲିକ୍ ନକରିବାକୁ ପରାମର୍ଶ ଦେଇଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଏପରି କୌଣସି ଲିଙ୍କରେ କ୍ଲିକ କରନ୍ତୁ ନାହିଁ ଯେଉଁଥିରେ ଏଟିଏମ୍ ପିନ୍, ସିଭିଭି ନମ୍ବର ବା ଓଟିପି ବାବଦରେ ତଥ୍ୟ ଦେବାକୁ କୁହାଯାଉଛି। ଆଉ ଯଦି ଆପଣ ଭୁଲରେ ବି ନିଜ ଏଟିଏମ ପିନ୍ କିମ୍ବା କୌଣସି ଓଟିପି ଶେଆର କରୁଛନ୍ତି ତେବେ ଆପଣ କିଛି ବୁଝିବା ଆଗରୁ ଆପଣଙ୍କ ଆକାଉଣ୍ଟରେ କଳା କନା ବୁଲାଇସାରିଥିବେ ସାଇବର ଲୁଟେରା। ଆଖି ପିଛୁଲାକେ ଆପଣଙ୍କ ଜମା ପୁଞ୍ଜୀ ଚାଲିଯିବ ସାଇବର ଠକଙ୍କ ହାତକୁ।