ଆଜି ସାବିତ୍ରୀ ଅମାବାସ୍ୟା, ସ୍ୱାମୀଙ୍କ ଦୀର୍ଘାୟୁ ମନାସୀ ବ୍ରତ ପାଳୁଛନ୍ତି ସଧବା

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା । ଯମରାଜଙ୍କ ପଛରେ ଯାଇ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ । ହିନ୍ଦୁ ଶାସ୍ତ୍ରର ସେହି ପୌରାଣିକ କଥାକୁ ମନେ ପକାଇ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରୁଛନ୍ତି ବିବାହିତା ମହିଳାମାନେ । ସକାଳୁ ସକାଳୁ ନୂଆ ଶାଢୀ, ଶଙ୍ଖା, ସିନ୍ଦୁର, ଅଳତା ନାଇ ବିଭିନ୍ନ ଫଳ ଓ ଫୁଲରେ ନୈବେଦ୍ୟ ସଜାଡିଛନ୍ତି । ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବ୍ରତ କଥା ଗାଇ ପୂଜା କରୁଛନ୍ତି ସଧବା ନାରୀ ।

ବିଶେଷ କରି ଆମ୍ବ, ପଣସ, ନଡିଆ, ଫୁଟି, କାକୁଡି, ତାଳ, ଖଜୁରୀ ଆଦି ଦେଶୀ ଫଳରେ ପୂଜା କରୁଛନ୍ତି ମହିଳା । ସାବିତ୍ରୀ ପୂଜା ପାଇଁ ବିଭିନ୍ନ ମନ୍ଦିରରେ ସଧବାଙ୍କ ଭିଡ ଦେଖିବାକୁ ମିଳିଛି । ଗତ ଦୁଇବର୍ଷ ଧରି କରୋନା ପାଇଁ କଟକଣାରେ ସାବିତ୍ରୀ ବ୍ରତ ପାଳନ କରାଯାଉଥିଲା । ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିଥିଲା । କିନ୍ତୁ ଚଳିତବର୍ଷ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଭକ୍ତଙ୍କୁ ମନ୍ଦିରରେ ପୂଜା କରିବାର ଅନୁମତି ମିଳିଛି ।