ମରୁଭୂମିରେ ବରଫ ଚାଦର, ପ୍ରକୃତିର ଚମତ୍କାର ନା କୌଣସି ବିପଦ ସଙ୍କେତ ?

1 min read

ନୂଆଦିଲ୍ଲୀ: ମରୁଭୂମିରେ ବରଫ ବର୍ଷା । କଥାଟି ଶୁଣିଲେ ସହଜେ ବିଶ୍ବାସ କରି ହେବନି । ଯେଉଁଠାରେ କେବଳ ବାଲି ହଁ ବାଲି, ସେଠାରେ ପୁଣି ବରଫପାତ । ମରୁଭୂମିରେ ବରଫ ବର୍ଷା ତ ସ୍ବପ୍ନ । ସାଉଦୀ ଆରବର ମରୁଭୂମିରେ ହୋଇଛି ଏହି ବରଫ ବର୍ଷା ।

ସାଉଦି ଆରବ ନାଁ ଶୁଣିଲେ ମନରେ ଆସିଥାଏ ଅସହ୍ୟ ଗରମ ସାଙ୍ଗକୁ ଅସରନ୍ତି ମରୁଭୂମି । ମରୁଭୂମିର ଗରମ ବାଲି ସମସ୍ତଙ୍କୁ ଅତିଷ୍ଠ କରିଥାଏ । କିନ୍ତୁ ଏଥର ସାଉଦୀ ଆରବର ମରୁଭୂମିରେ ଏଭଳି କିଛି ଘଟିଛି ଯାହା ଆପଣ କେବେ କଳ୍ପନା କରି ନଥିବେ । ଆଜ୍ଞା ହଁ, କିଛିଦିନ ତଳେ ସାଉଦୀ ଆରବରେ ପ୍ରବଳ ବର୍ଷା ହୋଇଛି । କେବଳ ସେତିକି ନୁହେଁ, ମରୁଭୂମିରେ ବର୍ଷା ସହ କୁଆପଥର ମାଡ଼ ହେବା ସହ ତୁଷାରପାତ ହୋଇଛି । ଆଉ ଦେଖୁ ଦେଖୁ ସାଉଦୀ ଆଣବର ମରୁଭୂମି ବରଫ ଚାଦରରେ ଢେଙ୍କି ହୋଇଯାଇଥିଲା । ଏତେ ମାତ୍ରାରେ ତୁଷାରପାତ ହୋଇଥିଲା ଯେ ନାଲି ବାଲି ଧଳା ଚାଦର ଭଳି ଦୃଶ୍ୟମାନ ହେଲା । ଏଭଳି ଏକ ଦୃଶ୍ୟ ସେଠାକାର ଲୋକଙ୍କ ପାଇଁ ଅଦ୍ଭୁତ ଓ ନିଆରା ଥିଲା ।

କୁହାଯାଉଛି ଏଭଳି ତୁଷାରପାତ ପରେ କିଛି ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥିଲା । ଲୋକଙ୍କ କହିବା ଅନୁଯାୟୀ ପ୍ରଥମ ଥର ପାଇଁ ଏ ପ୍ରକାର ପାଣିପାଗ ଦେଖାଦେଇଛି । ଯାହାକୁ ନେଇ ସାଧାରଣରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି ।

ତୁଷାରପାତ ପଛର କାରଣ କ’ଣ ?

ମରୁଭୂମିରେ ଏପରି ତୁଷାରପାତକୁ  ଲୋକେ ପ୍ରକୃତିର ଚମତ୍କାର ମାନୁଛନ୍ତି । ଅନ୍ୟପକ୍ଷରେ କିନ୍ତୁ ୟୁଏଇର ପାଣିପାଗ ବିଶେଷଜ୍ଞ ଏଭଳି ଘଟଣା କୌଣସି ବିପଦର ସଂକେତ ବୋଲି ଅନୁମାନ କରିଛନ୍ତି ।

ସାଉଦୀ ଆରବ ପାଣିପାଗ କେନ୍ଦ୍ର ଅନୁଯାୟୀ, କିଛି ଦିନ ହେବ ଆରବ ସାଗରରୁ ଓମାନ ପର୍ଯ୍ୟନ୍ତ ଏକ ନିମ୍ନଚାପ ପ୍ରଣାଳୀ ବ୍ୟାପିଛି । ଯାହାଫଳରେ ଆର୍ଦ୍ରତା ଭରା ପବନ ସେହି ଅଞ୍ଚଳକୁ ଆସି ପ୍ରବଳ ବର୍ଷା ସାଙ୍ଗକୁ ତୁଷାରପାତ କରାଇଛି । ୟୁଏଇ ପାଣିପାଗ ବିଭାଗ ଅନୁଯାୟୀ ଆଗାମୀ ଦିନରେ ଅଲ-ଜୋଫ ଓ ଆଖପାଖ ଅଞ୍ଚଳରେ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ସାଉଦୀ ଆରବର ପାଣିପାଗ ଗତ କିଛି ଦିନ ହେବ ଖରାପ ଥିଲା । ଯାହାକି ସାଧାରଣ ଦିନଠାରୁ ସଂପୂର୍ଣ୍ଣ ଭିନ୍ନ । ୩୦ ଅକ୍ଟୋବର ଅଲ-ଜୋଫରେ ପ୍ରବଳ ବର୍ଷା ସହ କୁଆପଥର ମାଡ ହୋଇଥିଲା । ଆଉ କିଛି ଦିନ ପରେ ପ୍ରବଳ ତୁଷାରପାତ ହୋଇଛି ।