ସରି ଆସିଲାଣି ମିସାଇଲ: ଚିନ୍ତାରେ ସାଉଦି ଆରବ!
ନନ୍ଦିଘୋଷ ବ୍ୟୁରୋ: ହୁତିଙ୍କ ଘନଘନ ଆକ୍ରମଣରେ ଅତିଷ୍ଠ ସାଉଦି ଆରବ । ଏପରିକି ଦେଶରେ ବର୍ତ୍ତମାନ ଇଣ୍ଟରସେପ୍ଟର ମିସାଇଲର ଘୋର ଅଭାବ ଦେଖା ଦେଇଛି । ଫଳରେ ହୁତି ବିଦ୍ରୋହୀଙ୍କ ମିସାଇଲକୁ ରୋକିବା କଷ୍ଟକର ହୋଇପଡ଼ିଛି । ରିୟାଦସ୍ଥିତ କିଙ୍ଗ ଖଲିଦ ବିମାନବନ୍ଦର ଉପରେ ହୁତିର ମିସାଇଲ୍ ମାଡ଼ରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ଘଟଣା ପରେ ସାଉଦିର ଏୟାର ଡିଫେନ୍ସ ସିଷ୍ଟମ୍ ଉପରେ ପ୍ରଶ୍ନ ଉଠିଛି ।
କିଙ୍ଗ୍ ଖଲିଦ ବିମାନବନ୍ଦର ଆକ୍ରମଣ ଗତ ୧୦ ବର୍ଷ ଭିତରେ ସାଉଦିରେ ଘଟିଥିବା ସବୁଠାରୁ ବଡ଼ ତଥା ଘାତକ ଆକ୍ରମଣ ଅଟେ । ହୁତି ବିଦ୍ରୋହୀମାନେ ଆଗକୁ ଆହୁରି ପ୍ରଚଣ୍ଡ ଆକ୍ରମଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ହୁତି ବିଦ୍ରୋହୀଙ୍କ ଏଭଳି ଧମକ ପରେ ସାଉଦି କର୍ତ୍ତୃପକ୍ଷ ଏବେ ଦେଶର ବିଭିନ୍ନ ସ୍ଥାନକୁ ଏୟାର ଡିଫେନ୍ସ ବ୍ୟାଟେରୀ ସ୍ଥାନାନ୍ତର ଆରମ୍ଭ କରିଛନ୍ତି । ଦେଶର ପ୍ରମୁଖ ତୈଳ ପ୍ରତିଷ୍ଠାନ, ବିମାନବନ୍ଦର ଓ ରାଜପ୍ରସାଦର ସୁରକ୍ଷା ନିମନ୍ତେ ଏହି ବ୍ୟାଟେରୀ ଏବେ ମୁତୟନ କରାଯାଇଛି । ପରିସ୍ଥିତି ଏଭଳି ହୋଇଛି ଯେ, ସାଉଦି ଯୁବରାଜ ମହମ୍ମଦ ବିନ ସଲମାନ ନିଜକୁ ମଧ୍ୟ ସୁରକ୍ଷିତ ମଣୁନାହାନ୍ତି । ତେଣୁ ସମ୍ଭାବ୍ୟ ହୁତି ଆକ୍ରମଣ ଭୟରେ ସେ କଡ଼ା ସୁରକ୍ଷା ବଳୟରେ ଥିବା ରାଜପ୍ରସାଦ ବଙ୍କରକୁ ସ୍ଥାନାନ୍ତର ହୋଇଛନ୍ତି ।
ରିପୋର୍ଟ ଅନୁଯାୟୀ, ୪୧ ବର୍ଷୀୟ ପ୍ରିନ୍ସଙ୍କୁ ଗତ ସପ୍ତାହ ଧରି ସର୍ବସାଧାରଣରେ ଦେଖିବାକୁ ମିଳିନାହିଁ । ଅଳ୍ପ କିଛି ପରିବାର ସଦସ୍ୟ ଓ ସୁରକ୍ଷାକର୍ମୀ ତାଙ୍କ ସହ ଅଛନ୍ତି । ସେ ନିର୍ଦ୍ଧିଷ୍ଟ କୌଣସି ସ୍ଥାନରେ ଅଧିକ ଦିନ ରହୁ ନାହାନ୍ତି । ଲଗାତାର ଭାବେ ଠିକଣା ବଦଳାଇବାରେ ଲାଗିଛନ୍ତି ସାଉଦି ଯୁବରାଜ । ସାଉଦି ପାଖରେ ବର୍ତ୍ତମାନ ଆଡ଼ଭାନ୍ସ ପ୍ୟାଟ୍ରିଅଟ ଓ ଥାର୍ଡ ମିସାଇଲ୍ ସିଷ୍ଟମ ରହିଛି । କିନ୍ତୁ ଏତେବଡ଼ ଦେଶକୁ ଲଗାତାର ଭାବେ ମିସାଇଲ୍ ଆକ୍ରମଣରୁ ସୁରକ୍ଷିତ ରଖିବା କଷ୍ଟକର । ହୁତିର କ୍ରମାଗତ ଆକ୍ରମଣ ଫଳରେ ଇଣ୍ଟରସେପ୍ଟର ମିସାଇଲ୍ ଶେଷ ହେବାରେ ଲାଗିଛି । ୟେମେନରେ ବହୁବର୍ଷ ହେବ ଚାଲିଥିବା ସଂଘର୍ଷ ଯୋଗୁଁ ସାଉଦିରେ ହୁତିର ଆକ୍ରମଣ ବଢିଛି । କାରଣ ସାଉଦି ଆରବ ୟେମେନ୍ ସରକାରଙ୍କୁ ସମର୍ଥନ କରୁଥିବା ବେଳେ ଇରାନ ହୁତି ବିଦ୍ରୋହୀଙ୍କୁ ସମର୍ଥନ ଯୋଗାଉଛି ।

