ଆଜି ସିବିଆଇରେ ହାଜର ହେବେ ସତ୍ୟପାଲ ମଲ୍ଲିକ

ନୂଆଦିଲ୍ଲୀ: ଆଜି ସିବିଆଇରେ ହାଜର ହେବେ ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ଜାମ୍ମୁ କାଶ୍ମୀରରେ ତାଙ୍କ କାର୍ଯ୍ୟକାଳରେ ଲାଗୁ ହେବାକୁ ଥିବା ରିଲାଏନ୍ସ ଇନ୍ସୁରାନ୍ସ ଦୁର୍ନୀତି ନେଇ ପଚରାଉଚରା କରିବାକୁ ନୋଟିସ କରିଛି କେନ୍ଦ୍ରୀୟ ଏଜେନ୍ସି । ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଇନ୍ୟୁରାନ୍ସରେ ଥିବା ଦୁର୍ବଳତା ଯୋଗୁଁ ସେ ଅନୁମତି ଦେଇନଥିବା କହିଥିଲେ । ବିଜେପିର ଜଣେ ବଡ଼ ନେତା ଏହି ଇନସୁରାନ୍ସକୁ କ୍ଲିୟର କରିବା ପାଇଁ ଚାପ ପକାଇଥିବା ମଧ୍ୟ କହିଥିଲେ ସତ୍ୟପାଲ । ଇନସୁରାନ୍ସରେ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ସାଢେ ୮ ହଜାରରୁ ଅଧିକ ଟଙ୍କା ଦେବାକୁ ପଡ଼ିଥାନ୍ତା ଏବଂ ଅବସରପ୍ରାପ୍ତ କର୍ମଚାରୀ ମାନେ ବାର୍ଷିକ ୨୦ ହଜାର ଟଙ୍କା ଦେଇଥାନ୍ତେ  । ଯାହାକୁ ନେଇ ବିରୋଧ ମଧ୍ୟ ହୋଇଥିଲା  । ଏଥିସହ ଇନସୁରାନ୍ସ ପାଇଁ ଯେଉଁଠି ଚିକିତ୍ସା କରାଯାଇଥାନ୍ତା ସେଗୁଡିକ ନିମ୍ନ ମାନର ହସ୍ପିଟାଲ ବୋଲି ସତ୍ୟପାଲ ମଲ୍ଲିକ କହିଥିଲେ  ।

ଏଭଳି ବୟାନ ଦେବା ପରେ ଗଣମାଧ୍ୟମରେ ବଡ଼ ଚର୍ଚ୍ଚା ହୋଇଥିଲା । ସିବିଆଇ ନୋଟିସ ଆସିପାରେ ବୋଲି ପୂର୍ବରୁ ସତ୍ୟପାଲ ମଲ୍ଲିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ସତକୁ ସତ ପରେ ତାଙ୍କୁ ତାଙ୍କୁ ସିବିଆଇ ନୋଟିସ କରିଥିଲା । ସତ୍ୟପାଲ କହିଛନ୍ତି ବିଜେପିର ଗୁମର ଖୋଲୁଥିବା ଲୋକଙ୍କୁ ଡରାଇ ଧମକାଇ ସିବିଆଇ ଇଡି ଲଗାଇ ମୁହଁ ବନ୍ଦ କରିବା ପ୍ରଚେଷ୍ଟା ଜାରି ରହିଛି । ହେଲେ ତାଙ୍କ ମୁହଁ ବିଜେପି ବନ୍ଦ କରିପାରିବ ନାହିଁ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ, ସତ ପଦାକୁ ଆଣିଥିବାରୁ ତାଙ୍କ ବିରୋଧରେ କେନ୍ଦ୍ର ବିଜେପି ନେତୃମଣ୍ଡଳୀ ଏଭଳି ଆଚରଣ ଦେଖାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।