ଖାପ୍ ନେତାଙ୍କୁ ଛାଡ଼ିବା ଦାବିରେ ଥାନାରେ ସତ୍ୟପାଲଙ୍କ ଧାରଣା

ନୂଆଦିଲ୍ଲୀ: ବିଜେପିର ଗୁମର ଖୋଲୁଥିବା ଲୋକଙ୍କୁ ଡରାଇ ଧମକାଇ ସିବିଆଇ, ଇଡି ଲଗାଇ ମୁହଁ ବନ୍ଦ କରିବା ଚେଷ୍ଟା କରାଯାଉଛି । ହେଲେ ତାଙ୍କ ମୁହଁ ବିଜେପି ବନ୍ଦ କରିପାରିବ ନାହିଁ ।  ଏପରି କଥା କହି ଆଜି ବିଜେପି ଉପରେ ବର୍ଷିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ପୋଲିସ ଖାପ ନେତାଙ୍କ ସହ ସତ୍ୟପାଲଙ୍କ ବୈଠକ କରାଇ ନଦେବା ଓ ସେମାନଙ୍କୁ ଥାନାକୁ ନେଇଯିବାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ସତ୍ୟପାଲ ।

ସୂଚନାଯୋଗ୍ୟ, ସତ୍ୟପାଲଙ୍କୁ ସିବିଆଇ ଏପ୍ରିଲ ୨୮ରେ ରିଲିଆନ୍ସ ଇନସ୍ୟୁରାନ୍ସ ମାମଲାରେ ପଚରାଉଚରା କରିବ । ଏନେଇ ସିବିବଆଇ ପକ୍ଷରୁ ତାଙ୍କୁ ନୋଟିସ୍ କରାଯାଇଛି । ସତ୍ୟପାଲଙ୍କୁ ସମର୍ଥନ ଦେବାକୁ ଆଜି ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାନା, ରାଜସ୍ଥାନ ଓ ପଞ୍ଜାବରୁ ପ୍ରାୟ ୩ ଶହ ଖାପ୍ ନେତା ତାଙ୍କ ବାସଭବନକୁ ଆସିଥିଲେ । ହେଲେ ଆରକେ ପୁରମ୍ ଥାନା ପୋଲିସ ହଠାତ୍ ମଲ୍ଲିକଙ୍କ ବାସଭବନରେ ପହଞ୍ଚି, ତାଙ୍କ ବାସଭବନରେ ସେମାନେ ବୈଠକ କରିପାରିବେ ନାହିଁ ବୋଲି କହିଥିଲେ । ଏପରିକି ପୋଲିସ କିଛି ଖାପ୍ ନେତାଙ୍କୁ ଥାନାକୁ ନେଇ ଯାଇଥିଲା । ଏହାପରେ ନିଜେ ସତ୍ୟପାଲ୍ ଥାନାକୁ ଯାଇ ସେଠାରେ ବସି ରହିଥିଲେ । ଖାପ୍ ନେତାଙ୍କୁ ନଛାଡିଲେ ସେ ଥାନାରୁ ଯିବେ ନାହିଁ ବୋଲି ଜିଦ୍ ଧରିଥିଲେ । ଅପରାହ୍ନ ୩ଟା ସମୟରେ ପୋଲିସ ସମସ୍ତ ଖାପ୍ ନେତାଙ୍କୁ ଛାଡିବା ପରେ ସତ୍ୟପାଲ ଘରକୁ ଫେରିଥିଲେ ।